ସମୂହ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ଐକ୍ୟମ୍’ ହେଲା ଉଦଯାପିତ: ୨୪ ଜଣ ଚିତ୍ରଶିଳ୍ପୀଙ୍କ କଳାକୃତିକୁ ଅତିଥି କଲେ ପ୍ରଶଂସା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୪ ଜଣ ଉଚ୍ଚାକାଂକ୍ଷୀ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ଐକ୍ୟମ୍’ ସଂପ୍ରତି ରବିବାର ଦିନ ଉଦଯାପିତ ହୋଇଯାଇଛି।

ସମ୍ବଲପୁର ସ୍ଥିତ ଗୌରୀଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ‘ଐକ୍ୟମ୍’ର ସଂଯୋଜକ କେଦାର ନାୟକଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ଏହି ଉଦଯାପନୀ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା। ଦୁଃଖିଶ୍ୟାମ ସେବକ, ପବିତ୍ର ମୋହନ ସତପଥି ଓ ସୁଧାଂଶୁ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଅତିଥିଗଣ ୨୪ ଜଣ ଯୁବ ଚିତ୍ରଶିଳ୍ପୀଙ୍କ କଳାକୃତିକୁ ପରିଦର୍ଶନ କରି ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ କଳା କ୍ଷେତ୍ରରେ କିପରି ଆହୁରି ଆଗକୁ ଯିବେ ସେ ବାବଦରେ ଚିତ୍ରଶିଳ୍ପୀମାନଙ୍କୁ ପରାମର୍ଶ ଦେଇଥିଲେ।

ଚାରିଦିନ ଧରି ଚାଲିଥିବା ଏହି ଚିତ୍ରକଳା ପ୍ରଦର୍ଶନୀକୁ ସମ୍ବଲପୁର ତଥା ବିଭିନ୍ନ ଜିଲ୍ଲାରୁ ସର୍ବମୋଟ ୬୩୯ ଜଣ କଳା ପ୍ରେମୀ ପରିଦର୍ଶନ କରି ଚିତ୍ର ଓ ଚିତ୍ରକରମାନଙ୍କୁ ଉତ୍ସlହିତ କରିଥିଲେ। ଏହି ପ୍ରଦର୍ଶନୀରେ କେଦାର ନାୟକଙ୍କ ସମେତ ହୃଷୀକେଶ ରଣା, ଏମ. ସାଇ ଜନାର୍ଦ୍ଦନ ଆଚାର୍ଯ୍ୟ, ପ୍ରେମଚାନ୍ଦ ରାଉତ୍, ପ୍ରଭୁ ଦୟାଲ୍ ତିର୍କି, ପି. ବି. ଗଣେଶ, ଶାନ୍ତନୁ କୁମାର ମେହେର, ବୃନ୍ଦାବନ ବିଶି, ସତ୍ୟନାରାୟଣ ମେହେର, ବୀରେନ୍ଦ୍ର ବି. ସିଂ , ଗଣେଶ ପ୍ରସାଦ ସିଂ, ସମରେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମେହେର, ପପ୍ପୁ କୁମାର ନାୟକ, ସୁରେଶ କୁମାର ସାହୁ, ଡି. ଶିବା ଆଚାରୀ, ବିକାଶ ଘୋଷ, ଶୁଭମ୍ ସାହୁ, ଅଂଶୁମାନ ପଣ୍ଡା, ରାହୁଲ୍ ମହାକୁଡ, ଲିଙ୍କନ ନାୟକ, ସୁଶାନ୍ତ ମେହେର, ବିଦ୍ୟାପତି ପଧାନ ଏବଂ ସରୋଜ ରଣାଙ୍କ ଚିତ୍ତାକର୍ଷକ ପେଣ୍ଟିଂମାନ ସ୍ଥାନ ପାଇଥିଲା। ଶେଷରେ ଚିତ୍ରଶିଳ୍ପୀ ବିଦ୍ୟାପତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.