ସାଗରପାଲି ଠାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ ତଥା ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ଗଙ୍ଗାଧର କ୍ଳବ ସାଗରପାଲି ଠାରେ ଆର୍ଥିକ ଆନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ତଥା ସୁକନ୍ୟା ଗ୍ରାମ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲିସ ନିରୀକ୍ଷକ ସୁବର୍ଣ୍ଣପୁର ଡି.ସି.ଆର.ବି ରମେଶ କୁମାର ମାହାନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସାଇବର ଠକେଇ ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇ କୌଣସି ପ୍ରକାର ପ୍ରଲୋଭନ ରେ ବଶବର୍ତ୍ତୀ ନହେବାକୁ କହିଥିଲେ। ଜିଲ୍ଲା ସଂଚୟ ଅଧିକାରୀ ମଙ୍ଗଳ ପ୍ରଧାନ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଓ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଓ ଉପାଦେୟତା ଉପରେ ବିସ୍ତୃତଭାବେ ଉପସ୍ଥାପନା କରି ଆର୍ଥକ ଅନ୍ତର୍ଭୁକ୍ତିକରଣରେ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ପୁନଶ୍ଚ ପ୍ରତ୍ୟେକ ପରିବାର ନିଜର ଆୟରୁ ପ୍ରଥମ ଖର୍ଚ୍ଚ ସଂଚୟକରିବାକୁ ପରାମର୍ଶ ଦେଇଥିଲେ। ଚଳିତ ଆର୍ଥକ ସାକ୍ଷରତା ସପ୍ତାହ ୨୦୨୫ର ବିଷୟବସ୍ତୁ “ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ” ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥିଭାବେ ସହକାରୀ ଡାକ ଅଧିକ୍ଷକ ବଲାଙ୍ଗୀର କାର୍ତ୍ତିକ ଚନ୍ଦ୍ର ଦାସ ଯୋଗଦାନକରି ସୁକନ୍ୟା ସମୃଦ୍ଧି ଯୋଜନାର ବିଶେଷତା ସହ ଲାଭ ଉପରେ ଆଲୋକପାତ କରିଥିଲେ। ଭାରତୀୟ ପୋଷ୍ଟାଲ ପେମେଣ୍ଟ ମ୍ୟାନେଜର ସତ୍ୟବ୍ରତ ପ୍ରଧାନ ନିଜର କଷ୍ଟ ଉପାର୍ଜିତ ଧନକୁ ସଂଚୟ ଓ ସୁରକ୍ଷିତ ରଖିବାପାଇଁ ଡାକଘର ଉତ୍ତମ ଓ ନିର୍ଭର ଯୋଗ୍ୟ ସ୍ଥାନବୋଲି କହିବା ସହିତ ଡ଼ାକଘର ପ୍ରଚଳିତ ବିଭିନ୍ନ ସରକାରୀ ଯୋଜନାର ଉପସ୍ଥାପନ କରିଥିଲେ। ସଞ୍ଜୟ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୋପାଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପୋଷ୍ଟାଲ ଏଜେଣ୍ଟ ହିରଣ୍ମୟୀ ମେହେ୍ର, ଦିବ୍ୟାସିନୀ ମେହେର, ବିନୋଦିନୀ ମେହେର, ଅଞ୍ଜଳି ମହାନନ୍ଦ, ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ କର୍ମଚାରୀ ସଞ୍ଜୟ କୁମାର ବାରିକ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଗୃହିଣୀ ତଥା ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.