ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ବିଶାଳ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ଵର ଜିଲ୍ଲାର ଯୁବପିଢିଙ୍କୁ ସ୍ୱରୋଜଗାରକ୍ଷମ କରିବା ଆମର ପ୍ରାଥମିକ ଲକ୍ଷ୍ୟ, କହିଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୮ ତାରିଖ ଦିନ ସ୍ଥାନୀୟ ନୋସି ବିଜନେସ ପାର୍କ ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ଡିଆଇପିଆରଓ ପକ୍ଷରୁ ପ୍ରେସର୍ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି I

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ଼କ୍ଟର ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଗତିକୃଷ୍ଣ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମୀରଂଜିତ ଦଳବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବେସରକାରୀ, ଘରୋଇ ଅନୁଷ୍ଠାନ, ଶିଳ୍ପIନୁଷ୍ଠାନର ପଦାଧିକାରୀମାନେ ଉପସ୍ଥିତ ଥିଲେ I

ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ମୋଟ ୪୦ ଗୋଟି ବେସରକାରୀ, ଘରୋଇ ଅନୁଷ୍ଠାନ, ଶିଳ୍ପIନୁଷ୍ଠାନ, ନିଯୁକ୍ତିଦାତା ଯୋଗ ଦେଇ ପ୍ରାର୍ଥୀପ୍ରାର୍ଥୀନୀଙ୍କୁ ଚୟନକରି ସିଧା ସଳଖ ନିଯୁକ୍ତି ପ୍ରଦାନ କରିବେ ବୋଲି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି I

ସରକାରଙ୍କ ସ୍ୱୀକୃତିପ୍ରାପ୍ତ ତାଲିମ ପ୍ରଦାନକାରୀ ସଂସ୍ଥା ମଧ୍ୟ ଯୋଗଦେଇ ଦେୟ ମୁକ୍ତ ତାଲିମ ପାଇଁ ଚୟନ କରି ତାଲିମ ପରେ ନିଯୁକ୍ତି ପ୍ରଦାନ କରିବେ ବୋଲି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି I ୧୮ ରୁ ୩୫ ବର୍ଷ ମଧ୍ୟରେ ଥିବା ପଞ୍ଚମ ପାସ ଠାରୁ ଉର୍ଦ୍ଧ୍ୱ, ମେଟ୍ରିକ, ଯୁକ୍ତ ଦୁଇ, ସ୍ନାତକ, ଆଈ.ଟି.ଆଈ, ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀପ୍ରାର୍ଥୀନୀ ମାନେ ନିଯୁକ୍ତି ମେଳାରେ ଭାଗନେଇ ପାରିବେ।

ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ପାସପୋର୍ଟ ଫଟୋ, ଆଧାର କାର୍ଡ ସହିତ ବାଲେଶ୍ୱର ଜିଲ୍ଲାର ଇଛୁକ ପ୍ରାର୍ଥୀପ୍ରାର୍ଥୀନୀମାନେ ବହୁଳ ସଂଖ୍ୟାରେ ଯୋଗଦେଇ ଉକ୍ତ ନିଯୁକ୍ତି ମେଳାରେ ନିଯୁକ୍ତିର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.