ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ୯୦ତମ ଓଡ଼ିଶା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଜାତି ଓ ଏହାର ମହାନ ପରମ୍ପରାକୁ ସମ୍ମାନ ଦେବା ସହ ଓଡ଼ିଆ ହେବା ନେଇ ଗର୍ବ ଅନୁଭବ କରିବାର ଆବେଗ, ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ୯୦ ତମ ଓଡ଼ିଶା ଦିବସ (ଉତ୍କଳ ଦିବସ) ପାଳନ ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ, ଜଣେ ଶ୍ରେଷ୍ଠ ଓଡ଼ିଆ ଭାବେ ନିଜର ସ୍ବାଭିମାନ ଓ ସ୍ବାଧୀନତାକୁ ନେଇ ସମ୍ମାନ ଲଭିବା ସହ ଉତ୍କଳ ମାତୃକାର ଜନ୍ମତିଥିକୁ ଆଜୀବନ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଏଥିସହିତ ସମୟାନୁସାରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଦେଖା ଯାଇଥିବା ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନର ବିଭିନ୍ନ ଦିନଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ। ମାନସିକତାରେ ପରିବର୍ତ୍ତନ, ପୂର୍ଣ୍ଣାଙ୍ଗ ଶିକ୍ଷାବ୍ୟବସ୍ଥାରେ ସୁଧାର, ଓଡ଼ିଶାରେ ଗଚ୍ଛିତ ପ୍ରାକୃତିକ ସମ୍ବଳର ପ୍ରକୃଷ୍ଟ ଉପଯୋଗ, ସାହିତ୍ଯର ଗବେଷଣା କ୍ଷେତ୍ରରେ ଉନ୍ନତି, ପ୍ରଶାସନିକ ବ୍ୟବସ୍ଥାର ଲୋକାଭିମୁଖୀ କାର୍ଯ୍ୟକଳାପ ଇତ୍ୟାଦି ପ୍ରସଙ୍ଗରେ କୁଳପତି ପ୍ରଫେସର ତ୍ରିପାଠୀ ନିଜର ସକାରାତ୍ମକ ମନୋଭାବ ଅଭିବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଉପସ୍ଥିତ ହୋଇ ଓଡ଼ିଶା ଦିବସ ପାଳନର ମହତ୍ତ୍ବ ସଂପର୍କରେ ଅବଗତ କରାଇଥିଲେ।

ମୁଖ୍ଯବକ୍ତା ଭାବେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର, ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ, ଓଡ଼ିଆ ହେବା ସହ ନିଜ ହୃଦୟରେ ଓଡ଼ିଶାର ଅସ୍ମିତାକୁ ନେଇ ପରିଚିତ ହେବା ଉଚିତ ବୋଲି ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗ ଦେଇ ପ୍ରାଚୀନ କଳିଙ୍ଗର ଆଧୁନିକ ଓଡ଼ିଶା ରୂପାୟନ ନେଇ ନିଜର ଜୀବନ ଅନୁଭୂତି ବାଣ୍ଟିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଇତିହାସ ବର୍ଣ୍ଣନା ସହ ଓଡି଼ଆ ଭାଷା ସାହିତ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରି ମୂଲ୍ୟବାନ ବକ୍ତବ୍ଯ ପ୍ରଦାନ କରିଥିଲେ। ଏଥିସହ ଓଡ଼ିଶା ଦିବସ ପାଳନ ଅବସରରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା, ରଙ୍ଗ-ମୁରୁଜ ଝୋଟି ଆଦି ଅନ୍ୟାନ୍ଯ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମର ସଂଚାଳନ ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର କରିଥିଲେ ଓ ଡ଼କ୍ଟର ଶିଖାଶ୍ରୀ ରାୟ କାର୍ଯ୍ୟକ୍ରମଟିକୁ ସଂପାଦନା କରିଥିଲେ । ଏହି ଉତ୍ସବ ପାଳନରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ସହକାରୀ ଅଧ୍ୟାପିକା ଜିନା ପ୍ରିୟଙ୍କା ଜେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.