ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ସରର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଅପ୍ରେଲ ପହିଲା ଉତ୍କଳ ଦିବସ ଦିନରୁ ଆରମ୍ଭ ହୋଇଯାଇଛି ଜଳଛତ୍ର । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ୭ ଗୋଟି ସ୍ଥାନ ସର୍ଗିଗୁଡା ଲେବୁଲ କ୍ରସିଂ ରେଳ ଫାଟକ ନିକଟରେ, ନର୍ଲା ତହସିଲ ଅଫିସ ସମ୍ମୁଖ, ବେହେରାପାଟି, ତୁଳାଗାଁ ତିନି ଛକ, ନର୍ଲାରୋଡ ଷ୍ଟେସନ, ଉଲିସିର୍କା ଓ ବାଙ୍କେଲ ଆମ୍ବ ବଗିଚାରେ ଅପ୍ରେଲ ପହିଲାରୁ ଆରମ୍ଭ ହୋଇଯାଇଛି ଜଳଛତ୍ର । ସର୍ଗିଗୁଡାର ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର ଆରମ୍ଭ ହୋଇଛି । ଏକ ଅସ୍ଥାୟୀ ଡାଳ କୁଡିଆ ଘର କରାଯାଇଛି ଏବଂ ସେଠାରେ ମାଠିଆ ରେ ବଡି ସକାଳୁ ପାଣି ଭର୍ତ୍ତି କରି ପଥଚାରୀ ଓ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଉପଲବ୍ଧ କରାଯାଉଥିବା କଥା ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ କହିଛନ୍ତି । ପ୍ରତି ଜଳଛତ୍ର କେନ୍ଦ୍ରରେ ପ୍ରତ୍ୟହ ୧୦୦ ରୁ ଉର୍ଦ୍ଧ୍ବ ପଥଚାରୀ ଓ ଜନସାଧାରଣ ଏଭଳି ୪୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଥଣ୍ଡା ପାନୀୟ ଜଳ ପିଉଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଅପ୍ରେଲ ମାସ ଆରମ୍ଭରୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସମାଗମ ସ୍ଥଳ ଗୁଡିକରେ ଗ୍ରାମ ପଞ୍ଚାୟତ ତରଫରୁ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥାଏ । ହେଲେ ଚଳିତ ବର୍ଷ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଓ ଅନ୍ୟ କେତେକ ପଞ୍ଚାୟତକୁ ବାଦ୍ ଦେଲେ ୧୦ ରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତ ଗୁଡିକରେ ଏ ଯାଏଁ ଆରମ୍ଭ ହୋଇନି ଜଳଛତ୍ର । ଅନ୍ୟବର୍ଷ ଗୁଡିକରେ କାଳବୈଶାଖୀ ବର୍ଷା ଯୋଗୁଁ ପ୍ରଚଣ୍ଡ ଖରା ତାତିରୁ ଟିକେ ନିସ୍ତାର ମିଳୁଥିଲା। ହେଲେ ଏ ବର୍ଷ ତା ମଧ୍ଯ ନାହଁ। ମାର୍ଚ୍ଚ ମଧ୍ୟ ଭାଗରୁ ପ୍ରବଳ ଗରମ ଅନୁଭୁତ ହେଉଛି । ଏଭଳି ସମୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୭ ଗୋଟି ଜନସମାଗମର କେନ୍ଦ୍ର ଛକ ଗୁଡିକ ରେ ପାନୀୟ ଜଳର ଏଭଳି ସୁବ୍ୟବସ୍ଥା ଯୋଗୁଁ ବିବିନ୍ନ ମହଲରୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳୁଛି ।