ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖସ୍ଥ ରାଜରାସ୍ତାରେ ନର୍ଦ୍ଦମା ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ ରାସ୍ତା କଡରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ଦିନ ହେଲାଣି ନର୍ଦ୍ଦମା ପାଣି ଅନବରତ ବହି ଆସି ରାଜ ରାସ୍ତା ଉପରେ ଜମା ହୋଇ ରହୁଛି । ନର୍ଦ୍ଦମାର ମଇଳା ଆବର୍ଜନା ଯୁକ୍ତ ଗନ୍ଧିଆ ପାଣି ବ୍ୟାଙ୍କ ସମ୍ମୁଖରେ ଜମା ହୋଇ ରହୁଥିବାରୁ ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ନର୍ଦ୍ଦମାର ମଇଳା ପାଣି ଯୋଗୁଁ ମଶା ମାଛିଙ୍କ ପ୍ରକୋପ ମଧ୍ୟ ଲାଗି ରହୁଛି । ଅନ୍ୟପକ୍ଷେ ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସକାଳ ୧୦ ଠାରୁ ସଂଧ୍ୟା ୫ ଟା ଯାଏଁ ପ୍ରବଳ ଜନ ଗହଳି ଲାଗି ରହୁଛି । ଫଳରେ ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତାମାନେ ନର୍ଦ୍ଦମା ପାଣିର ଗନ୍ଧ ଓ ମଶା ଯୋଗୁଁ ଅତିଷ୍ଠ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଉପର ମୁଣ୍ଡ ମାଝୀ ପଡାର ବ୍ୟାଙ୍କ ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଯାଏଁ କେବଳ ସିମେଣ୍ଟ ଡ୍ରେନ ନିର୍ମିତ ହୋଇଥିବା ବେଳେ ସେଇଠୁ ବ୍ୟାଙ୍କ ସମ୍ମୁଖ ଦେଇ ୫୦ ମିଟର ଯାଏଁ ରାସ୍ତା କଡରେ ସେମିତି ଭାବରେ ଡ୍ରେନ ପାଣି ଜମି ରହୁଛି । ଡ୍ରେନ ପାଣି ଶେଷରେ ମୁଖ୍ୟ ରାଜରାସ୍ତା ଉପରେ ଜମା ହୋଇ ରହିବା ସହ ସମ୍ମୁଖସ୍ଥ ଦୋକାନ ବଜାର ପଟେ ମାଡି ଯାଉଥିବାରୁ ଲୋକେ ଏବଂ ଯାନ ବାହନ ଚାଳକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ବର୍ଷା ଦିନରେ ଏହି ଡ୍ରେନ ପାଣି ଯୋଗୁଁ ରାସ୍ତା ଅବସ୍ଥା କଥା ନ କହିବା ଭଲ ।ସୁନ୍ଦର ପିଚୁ ରାସ୍ତା ଉପରେ ଅନବରତ ଡ୍ରେନ ପାଣି ବୋହୁଥିବାରୁ ରାସ୍ତାଟି ମଧ୍ୟ ଖରାପ ହେବାକୁ ବସିଲାଣି । ଅନ୍ୟପକ୍ଷେ ଗତ ୨୦୨୩ ରୁ ରାସ୍ତା ପ୍ରସସ୍ଥି କରଣ କରାଯିବ କହି ବିଭାଗ ନର୍ଲା ମୁଖ୍ୟ ମାର୍କେଟ ଓ ଚାରିଛକର ଦୋକାନ ବଜାର ସବୁ ସ୍ଥାନାନ୍ତରଣ କରି ସାରିଥିଲେ ମଧ୍ୟ ଚାରି ଛକରୁ ନର୍ଲା ଶେଷ ମୁଣ୍ଡ ଯାଏଁ ଅଦ୍ୟାବଧି ହୋଇ ପାରୁନି ରାସ୍ତା ପ୍ରସସ୍ଥିକରଣ ।  ଗୋଟିଏ ପଟେ ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ପାଇଁ ସମସ୍ୟା ରହିଥିବା ବେଳେ ଡ୍ରେନ ନଥିବା ହେତୁ ମଇଳା ଆବର୍ଜନା ପାଣିରେ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ବ୍ୟାଙ୍କ କାମ ନେଇ ଆସୁଥିବା ଗ୍ରାହକ ମାନେ ମୁଖ୍ୟ ରାସ୍ତାକଡେ ବାଇକ ଗୁଡ଼ିକ ପାର୍କିଂ କରୁଥିବାରୁ ବହୁତ ଟ୍ରାଫିକ ସମସ୍ୟା ଉପୁଜିଛି । ଏସବୁ ସମସ୍ୟା ଦିର୍ଘ ଦିନ ଧରି ଲାଗିରହିଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.