ମାଟ୍ରିକ ପରୀକ୍ଷା ଫଳ; ସୁବର୍ଣ୍ଣପୁର ଜିଲ୍ଲାରେ ପାସ ହାର ୯୬.୨୨

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଜିଲ୍ଲାରେ ପାସ୍‌ ହାର ୯୬.୨୨% ପ୍ରତିଶତ ରହିଥିବା ବେଳେ ସଫଳତାର ତାଲିକାରେ ସୁବର୍ଣ୍ଣପୁର ଜିଲ୍ଲା ରାଜ୍ୟରେ ୨୦ ନମ୍ବର ସ୍ଥାନରେ ରହିଥିବା ଜଣାପଡିଛି। ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ୧୨୮ଟି ହାଇସ୍କୁଲର ୮ ହଜାର ୭୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୭,୭୬୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ଯ ହୋଇଛନ୍ତି। ଛାତ୍ର ମାନଙ୍କୁ ପଛରେ ପକାଇ ୪୦୦୯ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୩୭୫୯ ଜଣ ଛାତ୍ର ପାସ୍ କରିଛନ୍ତି। ଜିଲ୍ଲାର ୨୮ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ ପାଇଥିବା ବେଳେ ଏ-୨ ଗ୍ରେଡ ୧୩୪ ଜଣ, ବି-୧ ଗ୍ରେଡ ୪୩୫ ଜଣ, ବି-୨ ଗ୍ରେଡ ୧୦୬୩ ଜଣ ଏବଂ ସି- ଗ୍ରେଡ ୨୧୩୧ ଜଣ ପାଇଛନ୍ତି। ସୋନପୁର ସାହାରା ଟ୍ରଷ୍ଟ ଆବାସିକ ହାଇସ୍କୁଲର ତିନି ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି। ସାହାରା ବିଦ୍ୟାଳୟର ଆଦ୍ୟାଶା ପୁରୋହିତ, ସମୀକ୍ଷା ସାହୁ ଏବଂ ପ୍ରିୟାଂଶୁ ବେଦବାକ ପ୍ରତ୍ୟେକେ ୫୬୫ ଲେଖାଏଁ ମାର୍କ ସହ ୯୪.୧୭ ପ୍ରତିଶତ ରଖି ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି। ସମସ୍ତେ ଏହି ସଫଳତାର ଶ୍ରେୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତା ମାତାଙ୍କୁ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.