‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଭାଷାପକ୍ଷ ପାଳନର ସପ୍ତମ ଦିବସରେ ଅନୁଷ୍ଠିତ ହେଲା ଦୀନକୃଷ୍ଣଙ୍କ ସଂପର୍କରେ ଆଲୋଚନା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ପାଳନ କରା ଯାଉଥିବା ଭାଷାପକ୍ଷର ସପ୍ତମ ଦିବସରେ ‘କବି ଦୀନକୃଷ୍ଣ’ ଶୀର୍ଷକ ଆଲୋଚନା ଅଭିନେତା ନିରଂଜନ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଦୀନକୃଷ୍ଣଙ୍କ ସମଗ୍ର ସାହିତ୍ୟ କୃତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଭାଗବତରେ ରାଧାଙ୍କୁ ଗୁରୁତ୍ଵ ଦିଆ ଯାଇ ନଥିବାବେଳେ ଦୀନକୃଷ୍ଣ ରାଧାଙ୍କୁ ନାୟିକା କରି ‘ରସକଲ୍ଲୋଳ’ ରଚନା କରିଥିଲେ। ଏହି କାର୍ଯ୍ୟରେ ବିଭିନ୍ନ ରସର ପରିବେଷଣ ସହିତ ‘କ’ ଅନୁପ୍ରାସର ପ୍ରୟୋଗ, ଭକ୍ତିରସର ଉପଯୋଗ ତଥା ସଂସ୍କୃତ ସାହିତ୍ୟର ନାୟିକାମାନଙ୍କ ପରି କାବ୍ୟନାୟିକାକୁ ପରିପୁଷ୍ଟ କରିବା ତାଙ୍କ କାବ୍ୟଶୈଳୀର ବୈଶିଷ୍ଟ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଦୀନକୃଷ୍ଣଙ୍କର କାବ୍ୟ ବ୍ୟତୀତ ସେ ରଚନା କରିଥିବା ଚଉପଦୀ, ଭଜନ, ଜଣାଣ, ଚଉତିଶା, ଓଲଟ ଚଉତିଶା, ପୌରାଣିକ କଥା ଇତ୍ୟାଦିର ବର୍ଣ୍ଣନା କରି ସେ ଦର୍ଶକମାନଙ୍କୁ ଭାବବିହ୍ବଳ କରିଥିଲେ।

ଅନ୍ୟତମ ବକ୍ତା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଦୀନକୃଷ୍ଣଙ୍କର କେତେକ ଅନାଲୋଚିତ ସୃଷ୍ଟି ସଂପର୍କରେ ସୂଚନା ଦେଇଥିଲେ। ଦୀନକୃଷ୍ଣଙ୍କ ରଚିତ ବୈଦ୍ୟଶାସ୍ତ୍ର, ଭୂତକେଳି, ନାବକେଳି, ଅଳଙ୍କାର ବୋଲି, ଯମପୁରାଣ, ସଂସାରବୋଧ, ପ୍ରସ୍ତାବସିନ୍ଧୁ ଇତ୍ୟାଦିର ସେ ତାତ୍ତ୍ଵିକ ଆଲୋଚନା କରିଥିଲେ। ଜନ୍ ବୀମ୍‌ସଙ୍କର ଦୀନକୃଷ୍ଣଙ୍କ ସଂପର୍କିତ ପ୍ରଥମ ଆଲୋଚନା ଓଡ଼ିଆ ସାହିତ୍ୟରେ ଆଲୋଚନାର ମୂଳଦୁଆ ପକାଇଥିଲା ବୋଲି ବକ୍ତମାନେ ମତବ୍ୟକ୍ତ କରିଥିଲେ।

ଯୁଗ୍ମ ସଂପାଦିକା ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। କବୟିତ୍ରୀ କଲ୍ୟାଣୀ ନନ୍ଦ କବିଙ୍କ ଆର୍ତ୍ତତ୍ରାଣ ଚଉତିଶା ଗାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶିରୀଶଚନ୍ଦ୍ର ଜେନା, ଅରୁଣା ରାୟ, ରାଜେନ୍ଦ୍ରନାଥ ରାଉତ, ଶରତ କୁମାର ମହାପାତ୍ର, ପଣ୍ଡିତ ସଂଜୟ କୁମାର ପଣ୍ଡା, ଡକ୍ଟର କ୍ଷିତୀଶ୍ଵର ଦାଶ, ଅଶ୍ୱିନୀ କୁମାର ଶତପଥୀ, ଦୀପକ ବୋଷ, କବିତା ଜେନା, ଊର୍ମିଳା ନାୟକ, ମଧୁସୂଦନ ମାଝି, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ସୁନାମଣି ଜେନା, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଦାସ, ଯୋଗେଶ ଚନ୍ଦ୍ର ପ୍ରଧାନ, ଲମ୍ବୋଦର ନାୟକ, କରୁଣାକର ସ, କମଳାକାନ୍ତ ଦାଶ, ରମେଶ ଚନ୍ଦ୍ର ଜେନା, ଦୀପକ ଦାସ, ମନ୍ମଥ କୁମାର ସାହୁ, ଶାନ୍ତି ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, ନରେନ୍ଦ୍ରନାଥ ପାଣିଗ୍ରାହୀ, ନିତ୍ୟାନନ୍ଦ ରାଉତ, ରମାକାନ୍ତ ମହାନ୍ତି, ମମତା ଦାସ, କୃଷ୍ଣା ପ୍ରଧାନ, ଅନାଦି ଚରଣ ଜେନା ଓ ଅବନ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.