ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ବାଲିଗୁଡ଼ା ସହର ଠାରୁ ପାଖରେ କିନ୍ତୁ ବିକାଶ ଠାରୁ ବହୁ ଦୂରରେ ଅଭିଶପ୍ତ ଗାଁ ସନୁବାଡ଼ି। ଅଭିଶପ୍ତ ଗାଆଁ ରେ ଅଭିଶପ୍ତ ଜୀବନ ବିତାଉଛନ୍ତି ନିରୀହ ଆଦିବାସୀ। ନା ଚାଲିବାକୁ ଅଛି ପକ୍କା ରାସ୍ତା ନା ପିଇବାକୁ ଅଛି ବିଶୁଦ୍ଧ ପାଣି । ଦୁନିଆ ଦେଖିବାକୁ ଆହୁରି ଅନେକ ବାଟ ରହିଛି । ବିକାଶ ଏଇଠି ସାତ ସପନ। ନିଜ ମୌଳିକ ସୁବିଧାରୁ ବଞ୍ଚିତ ସନୁବାଡି ଅଞ୍ଚଳବାସୀ। ଦୁର୍ଦଶାରେ ଦିନ କାଟୁଛନ୍ତି ଲୋକେ। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଂଚାୟତ ର ଅଭିଶପ୍ତ ଗାଁ ସୋନୁବାଡ଼ି। ଗାଁ କୁ ଯିବାକୁ ହେଲେ ମୁଖ୍ୟ ସଡ଼କ ଠାରୁ ପାଖା ପାଖି ୩ ରୁ ୪ କିଲୋମିଟର ପଥୁରିଆ ଖାଲ ଢିପ ଜଙ୍ଗଲି ମାଟି ରାସ୍ତା ଦେଇ ବିପଦଶଙ୍କୁଳ ଭାବେ ଯିବାକୁ ପଡ଼େ। ଗାଁ କୁ ଜରୁରୀ ସେବା ସାତ ସପନ। ପହଞ୍ଚି ପାରିନାହିଁ ଆମ୍ବୁଲାନ୍ସ ସେବା। ଯଦି କେବେ ଆମ୍ବୁଲାନ୍ସ ଗାଡ଼ି ଆସେ ତାହେଲେ ପଂଚାୟତ କାର୍ଯ୍ୟାଳୟ ନିକଟ ରେ ରହୁଛି। ଆଗାମୀ ପିଢ଼ିର ଭବିଷ୍ୟତ କଥା ଭାବି ନିଘନ ଘଞ୍ଚ ଜଙ୍ଗଲ ପାହାଡ ତଳେ ନିଶବ୍ଦ ଅନ୍ଧାରରେ ଖୋଜୁଛନ୍ତି ପିଲାଙ୍କ ଭବିଷ୍ୟତ। ଆଜି ଯାଏ କୌଣସି ପ୍ରଶାସନିକ ଅଧିକାରୀ ଅବା ପଞ୍ଚାୟତ ଅଧିକାରୀଙ୍କ ପାଦ ପଡିନି ଗାଁ ରେ । ଆଦିବାସି ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ। ଗାଁ ରେ ଏକ ସରକାରୀ ନଳ କୁପ ଅଛି କିନ୍ତୁ ଏହା ବ୍ୟବହାର କରାଯାଏ ନାହିଁ। ଗାଁ ମୁଣ୍ଡ ର ନାଳ ଓ ଚୁଆ ରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ନିରୀହ ଆଦିବାସୀ। ଗୁହାରି କରୁଛନ୍ତି ଅଞ୍ଚଳବାସୀ ନିଜ ସମସ୍ୟାର ସମାଧାନ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନକୁ।