ମାତୃଜାତିର ତ୍ୟାଗ ଓ ତିତିକ୍ଷା ବଳରେ ସଂସାର ତିଷ୍ଠି ରହିଛି’

‘ରୂପାୟନ’ ପକ୍ଷରୁ ‘ବିଶ୍ବ ମାତୃ ଦିବସ’ ପାଳିତ 

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ମାଆମାନେ କେବଳ ପାଳନକର୍ତ୍ତ୍ରୀ ନୁହନ୍ତି, ସେମାନେ ନିଜର ତ୍ୟାଗ ଓ ତିତିକ୍ଷା ବଳରେ ସଂସାରକୁ ଶିକ୍ଷିତ ଓ ସୁସଂସ୍କୃତ କରିଥାନ୍ତି। ମାଆଟିଏ କେବଳ ଦେଇ ଚାଲିଥାଏ, କେବେ ନେବାକୁ ଅପେକ୍ଷା ରଖେନାହିଁ। ଶେଷ ନିଃଶ୍ବାସ ଯାଏ ସେ ସନ୍ତାନର କେବଳ ମଙ୍ଗଳ ହିଁ ଚାହିଁଥାଏ। ଯେଉଁଠି ମାତୃଜାତିକୁ ସମ୍ମାନ ମିଳିଥାଏ, ସେଠାରେ ଦେବତାମାନେ ଚଳପ୍ରଚଳ ହୋଇଥାନ୍ତି। ବିଶ୍ବର ଯେତେ ବଡ଼ବଡ଼ ସଭ୍ୟତା ସୃଷ୍ଟି ହୋଇଛି ବା ତିଷ୍ଠି ରହିଛି, ତା ମୂଳରେ ମାତୃଜାତିର ବିଶେଷ ଭୂମିକା ରହିଛି ବୋଲି ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ରୂପାୟନ’ ପକ୍ଷରୁ ଆୟୋଜିତ ‘ବିଶ୍ବ ମାତୃ ଦିବସ’ ପାଳନ ଅବସରରେ ଅତିଥି ବକ୍ତା ତଥା ସମ୍ବର୍ଦ୍ଧିତ ବନ୍ଦନୀୟା ମାତୃମଣ୍ଡଳୀମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ୧୧ ତାରିଖ ଅପରାହ୍ଣରେ ‘ବହିଘର-ବିଦ୍ୟାଭାରତୀ’ ସଭାଗୃହରେ କବି ଅଭୟ ଦାସଙ୍କ ପୌରୋହିତ୍ୟ ଏବଂ ‘ରୂପାୟନ’ର ସଂପାଦିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଉଦ୍ୟୋଗୀ ତଥା କବି ବାସନ୍ତୀ ପାଣି, ବାଲେଶ୍ବର ଜିଲ୍ଲା ପରିଷଦ ୩୧ ନମ୍ବର ଜୋନର ପ୍ରାକ୍ତନ ସଦସ୍ୟା ଜୟନ୍ତୀ ମିଶ୍ର ଏବଂ ସମାଜସେବିକା ପ୍ରଣିତା ମିଶ୍ର ପ୍ରମୁଖଙ୍କୁ ବନ୍ଦନୀୟା ମାଆ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମୁଖ୍ୟବକ୍ତା ଭାବରେ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଞ୍ଜୁଲତା ବଳ, ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ ମିଶ୍ର, ସମାଜସେବୀ ଯାଦବେଶ ମିଶ୍ର, ବିଜୟ ଦାସ ଅଧିକାରୀ ଏବଂ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇ ମାତୃଦିବସର ମହତ୍ତ୍ବ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.