ଓଡିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ରୁଷିଆର ଦସ୍ତୋଭସ୍କି ଷ୍ଟାର ପୁରସ୍କାର ପାଇବେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ। ଏହା ହେଉଛି ରୁଷିଆର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର। ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆସନ୍ତା ଜୁନ ୬ ତାରିଖରେ ନୂଆଦିଲ୍ଲୀର ରୁଷୀୟ ବିଜ୍ଞାନ ଓ ସଂସ୍କୃତି କେନ୍ଦ୍ରରେ ଏହି ପୁରସ୍କାର ପ୍ରଦାନ କରାଯିବ। ରୁଷର କିମ୍ବଦନ୍ତୀ ଲେଖକ ଦସ୍ତୋଭସ୍କିଙ୍କ ସାହିତ୍ୟ କୃତିକୁ ବିଶ୍ବ ସ୍ତରରେ ପ୍ରସାରିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ସାହିତ୍ୟିକଙ୍କୁ ଏହି ପୁରସ୍କାର ଦିଆଯାଇଥାଏ। ହିନ୍ଦୀ ସାହିତ୍ୟର ବିଶିଷ୍ଟ ଲେଖକ ଡକ୍ଟର ମାଧବ କୌଶିକଙ୍କର ୫୨ରୁ ଅଧିକ ପୁସ୍ତକ ପ୍ରକାଶିତ। ସେଥିରେ ଗଜଲ, କବିତା, ଗଳ୍ପ, ଶିଶୁ ସାହିତ୍ୟ ଏବଂ ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗର ପୁସ୍ତକ ଅନ୍ତର୍ଭୁକ୍ତ। ତାଙ୍କର କେତେକ କବିତା ଓ ଗଳ୍ପ ସଂକଳନ ଇଂରାଜୀ, ରୁଷୀୟ, ଉର୍ଦ୍ଦୁ, ପଂଜାବୀ, ସଂସ୍କୃତ ଏବଂ ଓଡିଆ ଭାଷାରେ ଅନୂଦିତ ହୋଇ ଆଦୃତି ଲାଭ କରିଛି। ଡକ୍ଟର କୌଶିକ ଦକ୍ଷିଣ ଆଫ୍ରିକା, ୟୁଏଇ, ମେକ୍ସିକୋ, ଜର୍ମାନୀ ଏବଂ ରୁଷିଆ ପ୍ରଭୃତି ଦେଶରେ ଭାରତୀୟ ସାହିତ୍ୟର ପ୍ରତିନିଧିତ୍ବ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୮୨୧ରେ ରୁଷିଆର ମସ୍କୋରେ ପ୍ରଖ୍ୟାତ ଔପନ୍ୟାସିକ ଦସ୍ତୋଭକ୍ସିଙ୍କର ଜନ୍ମ ହୋଇଥିଲା।