ତୁଳାପଡ଼ା ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡ଼ା ରେ ଗତ ୨୫/୫ ରବିବାରରୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛ। ଏହା ସହ ଚାଲିଛି ୩୨ ପ୍ରହର ନାମଯଜ୍ଞ। ଗତ ୨୩/୫ ରେ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀ, ସହଯୋଗୀ କିଶୋର ଚନ୍ଦ୍ର ତ୍ରିପାଠୀ ଓ ମୁଖ୍ୟ କର୍ତ୍ତା ମନମୋହନ ନାୟକଙ୍କ ନେତୃତ୍ୱରେ ପୁରୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଅଣାଯିବା ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ୨୫/୫ ଏନେଇ କଳସ ଯାତ୍ରା ଅନୁଷ୍ଠିତ ହେଉଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ର ସଭାପତି ଅରୁଣ କୁମାର ନାୟକ ଓ ସମ୍ପାଦକ ଗଙ୍ଗାଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ନିର୍ମିତ ପଞ୍ଚ କୁଣ୍ଡୀୟ ଯଜ୍ଞ ମଣ୍ଡପ ରେ ପାଞ୍ଚ ଦିନ ବ୍ୟାପୀ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲ। ପାଞ୍ଚ ଗୋଟି ଯଜ୍ଞ କୁଣ୍ଡ ପାଇଁ ପାଞ୍ଚ ଯୋଡ଼ି କର୍ତ୍ତା ଦମ୍ପତି ଘୃତାହୂତି ପ୍ରଦାନ କରି ପୂଜନ କାର୍ଯ୍ୟ କରିଥିଲେ। ବ୍ରହ୍ମା ପଣ୍ଡିତ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣ ପଣ୍ଡିତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ନୂତନ ଭାବରେ ଅଣା ଯାଇଥିବା ପାର୍ଶ୍ଵ ଦେବାଦେବୀ, ଶ୍ରୀ ଅରୁଣ, ଶ୍ରୀ ଗରୁଡ଼ ଙ୍କ ପ୍ରାଣ ପ୍ରତିଷ୍ଠା ପରେ ସଙ୍କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ଦଳ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ସେମାନଙ୍କୁ ଯଥା ସ୍ଥାନରେ ସ୍ଥାପନା କରାଯାଇଥିଲା। ଏହାପରେ ତିନି ଠାକୁରଙ୍କୁ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ପ୍ରବେଶ ପରେ ତିନି ଠାକୁର ରତ୍ନ ସିଂହାସନରେ ବିରାଜିଛନ୍ତି। ଗତ ୨୯ ରୁ ଚାଲିଛି ୩୨ ପ୍ରହର ନାମଯଜ୍ଞ। ଜୁନ ୨ ରେ ଏହାର ପୂର୍ଣ୍ଣାହୁତି ପଡ଼ିବ। ପ୍ରତ୍ୟହ ପ୍ରବଳ ଜନ ସମାଗମ ହେଉଥିବା ବେଳେ ଲଘୁଚାପ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ପରିଚାଳନା ଓ ସାମୁହିକ ପ୍ରସାଦ ସେବନରରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.