ପିକ୍‌ଅପ୍‌ ଭ୍ୟାନ୍‌ ସହ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଚାଳକ ଚମ୍ପଟ, ତଦନ୍ତ ଜାରୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଧରିଛି। ଘଟଣାସ୍ଥଳରୁ ପୋଲିସକୁ ଦେଖି ଚାଳକ ଚମ୍ପଟ ମାରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ପ୍ରକାଶ ଯେ, ଉକ୍ତ ଥାନାର ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳେ ରାତ୍ରିକାଳୀନ ପାଟ୍ରୋଲିଂରେ ବାହାରିଥିଲେ। ଉକ୍ତ ଥାନାର କୁମ୍ଭାରୀଗାଁ ପଞ୍ଚାୟତ ବିରତରପା ଘାଟିରେ ସନ୍ଦେହଜନକ ଲାଗିବାରୁ ଏକ ମିନିଟ୍ରକକୁ ଅଟକାଇଥିଲେ। ତେବେ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବାରୁ ପୋଲିସକୁ ସନ୍ଦେହ ଲାଗିଥିଲା। ଗାଡିକୁ ଯାଞ୍ଚ କରିବା ବେଳେ ଗଞ୍ଜେଇ ଭର୍ତ୍ତି ବସ୍ତା ଦେଖିବାକୁ ମିଳିଥିଲା। ତୁରନ୍ତ ଉକ୍ତ ମିନିଟ୍ରକକୁ ଥାନାକୁ ଆଣି ଗଞ୍ଜେଇକୁ ଓଜନ କରାଯାଇଥିଲା। ପରେ ଏହାର ଓଜନ ମୋଟ ୧୨ ଶହ ୪୦ କେଜି ବୋଲି ପୋଲିସ ଜାଣିବାକୁ ପାଇଥିଲା। ତେବେ ଏନେଇ ପୋଲିସ ପକ୍ଷରୁ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା କେଶ ନଂ.୬୦/୨୫ ପ୍ରକାରେ ରୁଜୁ କରାଯାଇଛି। ଗାଡି ଚାଳକଙ୍କ ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.