ବିବାଦ ପରେ ମଧ୍ୟ ମାଁ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ମହା ସମାବେଶ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶୀପୁର ବ୍ଲକ୍ ଅନ୍ତର୍ଗତ ଶୁଙ୍ଗେର ହାଟ ପଦାରେ ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ରାୟଗଡା ପହଞ୍ଚିବା ପରେ ପୋଲିସ ଗୁରୁବାର ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡ଼ାରେ ଅଟକ ରଖି ବ୍ରହ୍ମପୁର ନେଇ ଛାଡିଥିଲା । ସିଜିମାଳି ପାହାଡର ସୁରକ୍ଷା ଓ ମାଟି ମାଁକୁ ବଞ୍ଚାଇବା ଲାଗି ମାଁ ମାଟି ମାଳି ସୁରକ୍ଷା ମଞ୍ଚ କାଶିପୁର-ଥୁଆମୂଳ ରାମପୁର ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଥିଲା | ମାଁ ମାଟି ମାଳି ସୁରକ୍ଷା ମଞ୍ଚ ସହିତ ଖଣି କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ବିରୋଧକୁ ସମର୍ଥନ କରିବା ପାଇଁ ପାଟେକର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ପୋଲିସ ହାଟ ପଦାରେ ୧୪୪ ଧାରା ଜାରି କରିଥିବା ସତ୍ତ୍ୱେ ବନ୍ତିଜ୍ ଗ୍ରାମରେ ଏକ ସଭା ଆୟୋଜନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଶୁଙ୍ଗେର ସ୍ଥିତ ବନ୍ତିଜ୍ ଗ୍ରାମରେ ସଭା ଆୟୋଜନ କରି ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇ ମାଟି ପ୍ରକୃତି ଓ ଜଙ୍ଗଲ ଜମି ଓ ଜଳବାୟୁ ପରିବର୍ତ୍ତନ ପରିବେଶ ବଞ୍ଚାଇବା ପାଇଁ ଆଗେଇ ଆସିବା ନିମନ୍ତେ ଆହ୍ବାନ ଦେଇଥିଲେ। ପୋଲିସ ମାଁ ମାଟି ମାଳି ସୁରକ୍ଷା ସମାବେଶକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ଶ୍ରୀ ସାମନ୍ତରା ସରକାରଙ୍କ ଉପରେ ବର୍ଷି ସମଗ୍ର ବିଶ୍ଵରେ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ଵତାପ ବୃଦ୍ଧି ସବୁଠାରୁ ବଡ଼ ସଂକଟ ରୂପେ ଠିଆ ହୋଇଛି, ଏହାର ମୁଖ୍ୟ କାରଣ ବଡ଼ ବଡ଼ ଧନୀ ଦେଶ ଓ ଧନୀ ବ୍ୟକ୍ତିମାନଙ୍କ ବିଳାସପୂର୍ଣ ଜୀବନ ଯାପନ ପାଇଁ ତଥା କମ୍ପାନୀମାନଙ୍କ ମୁନାଫା ପାଇଁ ଅବିସ୍ଫୁରିତ ଖଣିଖନନ ଓ ବିନାଶକାରୀ ଶିଳ୍ପାୟନ। ଜଳ, ଜଙ୍ଗଲ, ଜମି ପରି ସମ୍ପତି ଓ ପ୍ରାକୃତିକ ସଂପଦ ଗୁଡ଼ିକର ସୁରକ୍ଷା ସହ ପ୍ରଚଳିତ ବିକାଶ ବଦଳରେ ନିରନ୍ତର ବିକାଶ ପାଇଁ ସରକାର ନୀତି ପରିବର୍ତନ ନ କରି ମନ ଇଛା ଖଣି ପାଣି କମ୍ପାନୀକୁ ଦାନ କରୁଛନ୍ତି। କାଶୀପୁରର ସିଜିମାଳି ଓ କୁଟୁରୁମାଳିରେ ଖଣି ଖନନ ପାଇଁ ଗ୍ରାମ ସଭାର ବିନା ସମ୍ମତିରେ ରାଜ୍ୟ ସରକାର ବେଦାନ୍ତ ଓ ଆଦାନୀ କଂମ୍ପାନୀକୁ ଦେବା ଆଇନ ବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ସିଜିମାଳି, କୁଟୁରୁମାଳି ଓ ମାଞ୍ଜିଂ ମାଳିର ସୁରକ୍ଷା ପାଇଁ ଏହି ଲଢ଼େଇ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି। ଆଗକୁ ଏହି ନିରୀହ ଗରିବମାନଙ୍କୁ ପ୍ରଶାସନ କେଉଁ ଭଳି ନ୍ୟାୟ ପ୍ରଦାନ କରିବେ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.