ସ୍ନାନଯାତ୍ରା ଓ ଗଜାନନ ବେଶକୁ ନେଇ ଉତ୍ସବମୁଖର ରୁପ୍ରାରୋଡ ଜଗନ୍ନାଥ ମନ୍ଦିର 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳୁ ଦ୍ଵାର ଫିଟା, ସୂର୍ଯ୍ୟପୂଜା, ଦ୍ଵାର ପାଦପୂଜା, ମଙ୍ଗଳ ଆଳତୀ, ଭୋଗ ପରେ ବେଶ ମଙ୍ଗଳାର୍ପଣ ତା’ପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିଥିଲେ। ସେଥିରେ ପୂଜା ଓ ଜଳ ବିଶୁଦ୍ଧି କରିବାପରେ ସୁବାସିତ ଜଳ ଦ୍ଵାରା ଶ୍ରୀଜୀଉମାନଙ୍କର ସ୍ନାନ ନୀତି କରାଯାଇଥିଲା‌। ପରେ ଦୁର୍ଲ୍ଲଭ ଗଜାନନ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନେଇ ଆୟୋଜିତ ସ୍ନାନଯାତ୍ରାରେ ଆଶିର୍ବାଦ ଜୀ ମହାରାଜ ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ। ପୂଜକ ପ୍ରତାପ ପଣ୍ଡାଙ୍କ  ସମେତ କର୍ତ୍ତା ବିଜୟ ଅଗ୍ରୱାଲ, ଅନିଲ ଅଗ୍ରୱାଲ, ଚନ୍ଦ୍ରମୋହନ ରୋହିଲା ଓ ସନ୍ଦିପ ଶର୍ମା ସପତ୍ନିକ ଚତୁର୍ଦ୍ଧା ମୂରତିଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରାଇଥିଲେ। ଉପସ୍ଥିତ ଭକ୍ତ ବୃନ୍ଦ ମଧ୍ୟ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଦୁର୍ଲ୍ଲଭ ଗଜାନନ ବେଶ ଦେଖିବାକୁ ରୁପ୍ରାରୋଡ ବସ୍ତି ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.