କୋଲକାତାରେ ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ

କାବ୍ୟ ସନ୍ଧ୍ୟାରେ ଯୋଗ ଦେଲେ ବିଶିଷ୍ଟ କବି

ଓଡିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ନୂତନ ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଏବଂ ବଙ୍ଗଳା ଉପଦେଷ୍ଟା ପରିଷଦର ଆବାହକ ତଥା ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ । ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ସ୍ୱାଗତ ଭାଷଣରେ ସେ କହିଥିଲେ ଯେ ଦୀର୍ଘ ଦିନରୁ ପାଠକମାନେ କୋଲକାତା କାର୍ଯ୍ୟାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହେଉ ବୋଲି ଦାବି କରୁଥିଲେ । ତାହା ଆଜି ସାକାର ହୋଇଛି । ଏହା ଦ୍ୱାରା ପାଠକ ପାଠିକା ଏବଂ ଗବେଷକ ଗବେଷିକାମାନେ ଉପକୃତ ହେବେ । ଅକାଦେମି ଦ୍ୱାରା ପ୍ରକାଶିତ ୨୪ ଭାଷାର ପୁସ୍ତକ ଏଠାରେ ଉପଲବ୍ଧ ହେବ । ପୁରୁଣା ପ୍ରେକ୍ଷାଳୟର ନବୀକରଣ କରାଯାଇଥିବାରୁ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନରେ ଏହା ସହାୟକ ହେବ ବୋଲି ସେ ସୂଚନା ଦେଇଥିଲେ । ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ନିଜ ବକ୍ତବ୍ୟରେ କହିଥିଲେ ଯେ ପୁସ୍ତକ ବିକ୍ରୟ କେନ୍ଦ୍ର ହେଉଛି ଏକ ବୌଦ୍ଧିକ ସମ୍ପତ୍ତି । କୋଲକାତା ହେଉଛି ସାହିତ୍ୟ ଓ ସଂସ୍କୃତିର ପୀଠ । ଏଠିକାର ସାରସ୍ୱତ ଧାରା ତଥା ସମଗ୍ର ପୂର୍ବାଞ୍ଚଳର ସାହିତ୍ୟକୁ ଆଗେଇ ନେବାରେ ଏହି ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃୃତ ପ୍ରେକ୍ଷାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏକାଡେମୀର ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ବସୁ କହିଥିଲେ ଯେ ପଶ୍ଚିମବଙ୍ଗ ସବୁବେଳେ ବହୁଭାଷୀ ପରମ୍ପରାକୁ ସ୍ୱୀକାର କରିଥାଏ । ଏହି ପୁସ୍ତକ କେନ୍ଦ୍ର ବଙ୍ଗଳା ସହିତ ଦେଶର ପୂର୍ବାଞ୍ଚଳର ବିଭିନ୍ନ ଭାଷାର ପୁସ୍ତକ ପହଞ୍ଚାଇବାର କାର୍ଯ୍ୟ କରିବ । ବିଗତ ତିନି ବର୍ଷ ମଧ୍ୟରେ ଏକାଡେମୀ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ ଏବଂ ଅନେକ ମୂଲ୍ୟବାନ ପୁସ୍ତକ ପ୍ରକାଶନ ହୋଇଥିବାର ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସୁବୋଧ ସରକାର ପୁସ୍ତକ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଏକାଡେମୀକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟ୍ରକମ ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଏହାପରେ ଏକ ସ୍ୱତନ୍ତ୍ର କବିତା ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ସୁବୋଧ ସରକାର । ସ୍ୱରଚିତ କବିତା ପାଠ କରିଥିଲେ କବି ଅର୍ଣ୍ଣବ ସାହା, ବିଭାସ ରାୟ ଚୌଧୁରୀ, ଚଇତାଳି ଚଟ୍ଟୋପାଧ୍ୟାୟ, ନିର୍ମାଲ୍ୟ ମୁଖୋପାଧ୍ୟାୟ ଏବଂ ଶିବାଶିଷ ମୁଖୋପାଧ୍ୟାୟ । ପଠିତ କବିତାଗୁଡ଼ିକରେ ସମକାଳର ବିବିଧ ଚିତ୍ର, ଘଟଣା, ମାନବିକ ମୂଲ୍ୟବୋଧ, ସମାଜର ବୈଚିତ୍ର୍ୟ ଗୁଞ୍ଜରିତ ହୋଇଥିଲା । ଶେଷରେ ମାଧବ କୌଶିକଙ୍କ ଗଜଲ ଏବଂ ସୁବୋଧ ସରକାରଙ୍କ କବିତା ଶ୍ରୋତାଙ୍କୁ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ କବିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଲେଖକ ଲେଖିକା ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.