ଗୁଜରାଟ ବିଦ୍ୟାପିଠରେ ଜାତୀୟ ଏକତା ଶିବିର; ପ୍ରତାପ ଚନ୍ଦ୍ର ଦାଶଙ୍କ ଓଡ଼ିଶାରୁ ପ୍ରତିନିଧିତ୍ୱ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅହମଦାବାଦର ଗୁଜରାଟ ବିଦ୍ୟାପିଠ ଠାରେ ଅନୁଷ୍ଠିତ ଜାତୀୟ ଏକତା ଶିବିରକୁ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଓଡ଼ିଶାରୁ ପ୍ରତିନିଧିତ କରିଛନ୍ତି। ୭ ଦିନ ଧରି ଚାଲିଥିବା ଏହି ଜାତୀୟ ଏକତା ଶିବିରରେ ଓଡ଼ିଶାରୁ ୧୦ ଜଣ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ୨୦୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଗାନ୍ଧୀଜୀଙ୍କ ନିର୍ମିତ ଏହି ଗୁଜରାଟ ବିଦ୍ୟାପିଠରେ ସର୍ବମୋଟ ୯ ଗୋଟି ୱାର୍କସପ୍ ମଧ୍ୟରୁ ଚରଖରେ ସୁତାବୁଣା, ମୃତ୍ତିକା କଳା, ଫୋଟଗ୍ରାଫି, ରଙ୍ଗୋଲି, ପାଣି ପ୍ରହଁରା ଶିକ୍ଷା, ନୃତ୍ୟ ଶିକ୍ଷା, ଅଗ୍ନି ନିର୍ବାପକ ଶିକ୍ଷା, ଆତ୍ମରକ୍ଷା କୌଶଳ ଆଦି ଅର୍ନ୍ତଭୁକ୍ତ ଥିଲା। ଏହି ଶିବିର ଗୁଜୁରାଟର ମହାମହିମ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ବେଳେ ଆଞ୍ଚଳିକ ନିର୍ଦ୍ଦେଶକ ଏନ୍‌ଏସ୍‌ଏସ୍ ଡ. କମଳ କୁମାର କର ଏହାର ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍‌ଏସ୍‌ଏସ୍ ଅହମଦାବାଦ ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ ଗୁଜୁରାଟ ବିଦ୍ୟାପିଠର ଏନ୍‌ଏସ୍‌ଏସ୍ ବ୍ୟୁରୋ ଏହାର ପରିଚାଳନା ଓ ସଞ୍ଚାଳନା ଦାୟିତ୍ୱ ତୁଲାଇଥିଲେ। ପ୍ରତାପ ଚନ୍ଦ୍ର ଦାଶଙ୍କ ବିକାଶିତ ଭାରତରେ ଯୁବକ ମାନଙ୍କ ଆବଶ୍ୟକତା ଓ ପ୍ରେରଣା ଯୋଗାଇବା ସହ ଅନେକ ପ୍ରତିଯୋଗିତା, ଶିକ୍ଷଣିୟ କାର୍ଯ୍ୟକ୍ରମ, ଯୋଗାଭ୍ୟାସ ଏବଂ ବିଭିନ୍ନ ବିଷୟବସ୍ତୁ ଉପରେ ଯୁବମାନଙ୍କର ପ୍ରସ୍ତୁତି ଓ ତଥ୍ୟ ପ୍ରଦାନର ପରିଚାଳନାରେ ସହଯୋଗ କରିଥିଲେ। ଶ୍ରୀ ଦାଶ ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ଦ୍ୱାରା ମନୋନୀତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଶ୍ରୀ ଦାଶ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.