ଦ୍ବାରିକା ଠାରେ କିଡିଙ୍ଗ ଗାଁର ଦାଦନ ଶ୍ରମିକ ମୃତ: ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହେଲା ଶବ

୩ ଦିନ ହେଲା ଶବଗୃହରେ ପଡ଼ିଛି ଶବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପେଟ ପୋଷିବାକୁ କାମ ଧନ୍ଦା କରିବାକୁ ଘର ଛାଡ଼ି ବର୍ଷକ ତଳେ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଗାଁର ବୃହସ୍ପତି ଶବର (୨୮)। ଗୁଜରାଟ ରାଜ୍ୟର ଦ୍ଵାରିକା ନିକଟରେ ଏକ ନିର୍ମାଣାଧୀନ ପ୍ରକଳ୍ପରେ ସେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ଵାରିକା ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ତାଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ। ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ଦିନ ଶବ ବ୍ୟବଛେଦ ପରେ ଶବାଗାରରେ ଶବ ସଂରକ୍ଷିତ ରଖାଯାଇଛି। ପରିବାର ଲୋକେ ଅର୍ଥାଭାବ ଯୋଗୁଁ ସେଠାରୁ ଶବ ଆଣି ଗାଁରେ ଦାହ ସଂସ୍କାର କରିବାକୁ ସକ୍ଷମ ନୁହଁନ୍ତି। ଅପରପକ୍ଷରେ ପରିବାର ଲୋକଙ୍କ ଜିମାରେ ଶବ ହସ୍ତାନ୍ତର କରିବା କିମ୍ବା ସେମାନଙ୍କ ଉପସ୍ଥିତିରେ ଶବ ସଂସ୍କାର କରାଯିବାକୁ ସେଠାକାର ପୁଲିସ ଅପେକ୍ଷା କରିଛି। ଏଥିଯୋଗୁଁ କାମ କରାଉଥିବା ଠିକାଦାର ବି ଅଡୁଆରେ ପଡିଛନ୍ତି। ଦ୍ୱାରିକାସ୍ଥିତ ଶବଗୃହରେ ଆଜିକୁ ତିନିଦିନ ହେଲା ମୃତ ଦାଦନ ଶ୍ରମିକ ବୃହସ୍ପତିଙ୍କ ଶବ ପଡ଼ି ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ସମ୍ମାନର ସହିତ ଶବ ସଂସ୍କାର ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.