ଧର୍ମଗଡ଼ ବ୍ଲକ୍ ଚିତ୍ରଶିଳ୍ପୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟରେ ଜେନାଡଙ୍ଗର ଛିଲାପା ଗାଁରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲଲିତ ବାଣୁଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଧର୍ମଗଡ ବ୍ଲକ ଚିତ୍ରଶିଳ୍ପୀ ସଂଘର ସଭାପତି ରିଖିରାମ ସାଗର ଏବଂ ସମ୍ମାନିତ ଅତିଥି ଭାବେ ଧନିରାମ ଦୁର୍ଗା ଯୋଗ ଦେଇଥିଲେ। ବୈଠକଟି ମାଁ ଭଣ୍ଡାରଘରୁଣୀଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ ସହ ଉଦ୍‌ଘାଟିତ ହୋଇଥିଲା। ବୈଠକରେ ସଂଘକୁ ସୁଦୃଢ଼ କରିବା, ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା, କଳାକୁ ବଞ୍ଚାଇ ରଖିବା ଏବଂ ସରକାରୀ ଯୋଜନା ମାଧ୍ୟମରେ କାମ କରି କଳାକାରମାନଙ୍କୁ ରୋଜଗାରକ୍ଷମ କରିବା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ଜରିଆରେ ଅନେକ କଳାକାର ନିଜ ଜୀବନଜୀବିକା ପ୍ରତିପୋଷଣ କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ଆଲୋଚନା ହୋଇଥିଲା। ଧର୍ମଗଡର ମାଟିର ଗର୍ବ ଓ ଗୌରବ ବିଷୟରେ ଆଲୋଚନା କରାଯାଇ କଳାକାର ନବୀନ ସରାପଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ କଳାହାଣ୍ଡି ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ସଂପାଦକ ଭାବେ ନିର୍ବାଚିତ ହୋଇଥିବା ହଳଧର ନିଆଲଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଧର୍ମଗଡ ବ୍ଲକ ସ୍ତରୀୟ କମିଟିର କର୍ମକର୍ତ୍ତା ଚୟନ ମଧ୍ୟ ହୋଇଥିଲା। ନୂତନ ସଭାପତି ଭାବେ ଅଜିତ କୁମାର ସେନା, ଉପସଭାପତି ଭାବେ ପରଦେଶୀ ସୁନାନୀ, ସଂପାଦକ ଭାବେ ଦୀପକ ମୁଣ୍ଡ, ସହ-ସଂପାଦକ ଭାବେ ଲଲିତ ମୋହନ ବାଣୁଆ ଏବଂ କୋଷାଧ୍ୟକ୍ଷ ଭାବେ କର୍ମଜୟ ନାଏକ ଚୟନିତ ହୋଇଥିଲେ। ପ୍ରେମଚନ୍ଦ ତାଣ୍ଡି, ମହିଧର ସାଗର, ଅଜିତ ବାଗ, ବସନ୍ତ କୁମାର ମହାରଣା, ସରୋଜ ବାଗ, କାଳିଆ ସୁନାନୀ, କୈଳାସ ଜାଲ, ଟିକଚନ ପରାଭୋଇ ପ୍ରମୁଖ ଯୋଗଦେଇଥିଲେ। ଚନ୍ଦ୍ରମଣି ସା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଧର୍ମଗଡ ବ୍ଲକର ଶତାଧିକ ଚିତ୍ରଶିଳ୍ପୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜଗଦୀଶ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.