ପ୍ରାକୃତିକ ବିପର୍ଯୟ ମୁକାବିଲା ଦିଗରେ ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବୁଧବାର କୋକସରା ବ୍ଳକ ସଭାଗୃହଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର କଁଅର, ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଲା ଛତ୍ରୀଆ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, କୋକସରା ଅଗ୍ନିଶମ ବିଭାଗରୁ ପ୍ରଶାନ୍ତ ବାଘ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ପ୍ରମୁଖ ଯୋଗଦେଇଥିଲେ। ବାତ୍ୟା ଓ ବନ୍ୟା ଆସିଲେ ତା’ର ମୁକାବିଲା କରିବା ପାଇଁ ସକ୍ରିୟ ହେବା ଆବଶ୍ୟକ। ମୁକାବିଲାର ସଫଳତା ହାସଲ ଦିଗରେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଉଚିତ୍, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଶିଶୁ ମାନଙ୍କୁ କେମିତି ବଞ୍ଚେଇବା, ରିଲିଫ ବଣ୍ଟନ କେମିତି କରିବା, ସାପ କାମୁଡ଼ିଲେ କେମିତି ପ୍ରଥମେ ମେଡିକାଲ ଟିମ ପହଞ୍ଚି ଆଦି ବିଷୟରେ ଆଲୋକପାତ କରାଯାଇଥିଲା। ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଦିଗରେ ପୂର୍ବରୁ ପ୍ରସ୍ତୁତ ରହିବାକୁ ଉଦ୍ୟମ ଜାରି ରଖି ସଫଳତା ଦିଗରେ ପ୍ରଶାସନ, ଜନସାଧାରଣ ଓ ସ୍ୱେଚ୍ଛାସେବୀ ଆଗଭର ହେବା ଆବଶ୍ୟକ ବୋଲି ଅଧିକାରୀ ମାନେ ତାତ୍ପର୍ଯ୍ୟ ବୁଝାଇଥିଲେ। ଏହି ସଚେତନତା ସଭାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.