ବାଲେଶ୍ଵର ଠାରେ ପ୍ରଶାସନର ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଜୟଦେବକସବା ଗ୍ରାମ ପଂଚାୟତର ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ, ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।

ଏଥି ସହିତ ଜିଲ୍ଲାର ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇଛି । ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ ଉଦଘାଟନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଅତିରିକ୍ତ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସାରା ରାଜ୍ୟରେ ମକଡ୍ରିଲ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୪୪ ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ।

ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ୍ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର୍.ଏଫ୍. ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ ।

ଓସଡାମା (OSDMA) ସହ‌ଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଶ୍ରୀ ଶରତ ଚନ୍ଦ୍ର ପରିଡା ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ ଜୟଦେବକସବା ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ ଶ୍ରୀମତୀ ଲିଳିମା ପାତ୍ର, ତହସିଲଦାର ବାଲେଶ୍ୱର ଶ୍ରୀ ଦେବୀ ପ୍ରସନ୍ନ ସାରସ୍ୱତ, ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡିକର ସ୍ଥିତି ସଂପର୍କରେ ସଠିକ ତଥ୍ୟ ହାସଲ କରିବା ଲାଗି ମକଡ୍ରିଲ ସହ ପ୍ରିଲ ସହାୟକ ହୋଇଥାଏ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦିଆ ଯାଇଥିଲା ।

ବାଲେଶ୍ଵର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବାଲେଶ୍ୱର , ଶ୍ରୀ ସାଇ କୃଷ୍ଣ ଜେନା, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.