ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ୍ ହର୍ସସ୍ୟୁ କ୍ରାବ୍ ଡେ ଉପଲକ୍ଷେ ଏକ ବିଶିଷ୍ଟ ବିଜ୍ଞାନଭିତ୍ତିକ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ, ବାୟୋସାଇନ୍ସ ଓ ବାୟୋଟେକ୍ନୋଲୋଜି ବିଭାଗଙ୍କ ସହଯୋଗରେ, ଭାରତୀୟ ହର୍ସସ୍ୟୁ କ୍ରାବ୍ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର (CRCIHSC) ଓ ଓଡିଶା ବନ ବିଭାଗ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ। ବିଶ୍ୱର ଅତ୍ୟନ୍ତ ପ୍ରାଚୀନ ଏବଂ ଜୀବାଶ୍ମ ସଦୃଶ ଜୀବ ଭାବେ ପରିଚିତ ହର୍ସସ୍ୟୁ କ୍ରାବ୍ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏହା ପାଇଁ ଅନୁକୁଳ ପରିବେଶ ଓ ସଂପର୍କିତ ଜୈବ ବିଜ୍ଞାନର ଗୁରୁତ୍ୱକୁ ଉଜାଗର କରିବା ଓ ଏହାର ସଂରକ୍ଷଣ ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ଯ ଉଦ୍ଦେଶ୍ଯ ରହିଥିଲା।
ଉଦ୍ଘାଟନୀ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ନିଜ ଉଦବୋଧନରେ, ହର୍ସସ୍ୟୁ କ୍ରାବ୍ର ସଂରକ୍ଷଣ କେବଳ ଏକ ଶିକ୍ଷାଗତ ପ୍ରଶିକ୍ଷଣ ନୁହେଁ ବରଂ ସାମୁହିକ ଦାୟିତ୍ବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଓଡିଶା ରାଜ୍ୟ ପାଇଁ ହର୍ସସ୍ୟୁ କ୍ରାବ୍ରର ସଂରକ୍ଷଣ କ୍ଷେତ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏକ ବିଶେଷ ଦାୟିତ୍ୱ ଗ୍ରହଣ କରିଛି ଓ ଏହି ପ୍ରାଣୀର ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନ ଦେଉଥିବା ଏହା ଏକମାତ୍ର ବିଶ୍ୱବିଦ୍ୟାଳୟ ବୋଲି ଉଲ୍ଲେଖ କରିଥିଲେ। ସେ ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରଚେଷ୍ଟାକୁ ସ୍ବୀକାର ଦେଇ, ଏହି ବିଷୟରେ ଏକ ସ୍ବତନ୍ତ୍ର ଗବେଷଣା କେନ୍ଦ୍ର ସ୍ଥାପନ କରିବା ଉପରେ ଜୋର ଦେଇଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ହର୍ସସ୍ୟୁ କ୍ରାବ୍ରର ବଂଶବିସ୍ତାର, ସଂରକ୍ଷଣ ଓ ଅନୁସନ୍ଧାନ ଗୁଡ଼ିକ ଫଳାଫଳ ଭିତ୍ତିକ ହେବାର ଆଶାପୋଷଣ କରି ନିଜର ବିଚାର ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅରବିନ୍ଦ ମିଶ୍ର, ଉପମୁଖ୍ୟ ବନ ସଂରକ୍ଷକ (ପିସିସିଏଫ – ବନ୍ୟଜନ୍ତୁ ବିଭାଗ), ଶ୍ରୀ ଏଚ୍.କେ. ରଥ, (ନିର୍ଦ୍ଦେଶକ, ଆଇଟିଆର), ଶ୍ରୀ ଯାଦବ ସୁଦର୍ଶନ ଗୋପୀନାଥ ( IFS, ବିଭାଗୀୟ ବନ ଅଧିକାରୀ, ରାଜନଗର), ଦାତିନି ସେଠୀ, (ସହାୟକ ବନ ଅଧିକାରୀ, ବାଲେଶ୍ୱର), ଡ଼କ୍ଟର ସୁବ୍ରତ କୁମାର ଦାସ, (ବୈଜ୍ଞାନିକ, ଡିପ୍ ଓସନ୍ ମିସନ୍, ଆଇଏଲଏସ) ଶ୍ରୀ ସୁବ୍ରତ ନାୟକ(ଭାଇସପ୍ରେସିଡେଣ୍ଟ, ନୋସି) ପ୍ରମୁଖ ଯୋଗ ଦେଇ ତାଙ୍କ ଉଦ୍ବୋଧନରେ ହର୍ସସ୍ୟୁ କ୍ରାବ୍ର ଅନନ୍ୟ ଶରୀର ଗଠନ, ଚିକିତ୍ସା ବିଜ୍ଞାନରେ ଏହାର ଅପୂର୍ବ ଗୁରୁତ୍ୱ ଓ ଉପକୂଳ ଅଞ୍ଚଳରେ ଏହାର ସଂରକ୍ଷଣ ଓ ନିରାପଦ ଜୀବନଯାପନ ସଂପର୍କରେ ସଚେତନତା ସୃଷ୍ଟି ଆଦି ପ୍ରସଙ୍ଗମାନ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଏକ ଦୃଶ୍ୟ-ଶ୍ରାବ୍ୟ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ଛାତ୍ରଛାତ୍ରୀଙ୍କୁ ହର୍ସସ୍ୟୁ କ୍ରାବ୍ର ବାସସ୍ଥଳୀ ସଂରକ୍ଷଣ, ବିଭିନ୍ନ ଗବେଷଣାତ୍ମକ ଅଧ୍ୟୟନ ବିଷୟରେ ଆଲୋକପାତ କରିଥିଲା। CRCIHSC ର ନିର୍ଦ୍ଦେଶକ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ ପରିବେଶ ଶିକ୍ଷା ଓ ତୃଣମୂଳ ସ୍ତରରେ ସଂରକ୍ଷଣ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ବିଶ୍ୱବିଦ୍ୟାଳୟରେ ଏହାର ଗବେଷଣା ସହ ସଂରକ୍ଷଣ ନିମନ୍ତେ କରାଯାଉଥିବା ନିଷ୍ଠାପୂର୍ଣ୍ଣ ପ୍ରୟାସ ପାଇଁ ଆୟୋଜକମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଇଥିଲେ।
CRCIHSCର ଉପନିର୍ଦ୍ଦେଶକ ଓ କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ଭାରତ ଭୂଷଣ ପଟ୍ଟନାୟକ ସ୍ୱାଗତ ସମ୍ବୋଧନ ପ୍ରଦାନ କରିଥିଲେ। ଏହି ଅବସରରେ ଡ଼କ୍ଟର ଅନିଲ ଚାଟାର୍ଜୀ ( ବୈଜ୍ଞାନିକ, ଏନଆଇଓ ଗୋଆ) ଓ ଡ଼କ୍ଟର ବସୁଦେବ ତ୍ରିପାଠୀ (ବୈଜ୍ଞାନିକ, ଜେଡ଼ଏସଆଇ-ପୁଣେ) ଅନଲାଇନ୍ ମାଧ୍ୟମରେ ଯୋଗ ଦେଇ ହର୍ସସ୍ୟୁ କ୍ରାବ୍ରର ସଫଳ ସରଂକ୍ଷଣ ନେଇ ଉଚିତ ପଦକ୍ଷେପ ଗୁଡିକ ଉପସ୍ଥାପନ କରି ନିଜର ମୂଲ୍ୟବାନ ମତ ପ୍ରଦାନ କରିଥିଲେ। ଡ଼କ୍ଟର ନୀଳାଦ୍ରି ଭୂଷଣ କର, (ସହଯୋଗୀ ଅଧ୍ୟାପକ, ଜୀବବିଜ୍ଞାନ ବିଭାଗ) କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।