ଆତ୍ମ ପ୍ରଚାରରେ ମାତିଛନ୍ତି ରାଜ୍ୟ ବିଜେପି ସରକାର : କୋଟି କୋଟି ଟଙ୍କାର ବିଜ୍ଞାପନ ଜନିତ ବ୍ୟୟ, ବର୍ଷ ଏକ ବିଫଳତା ଅନେକ -ଶିବ ହାତୀ ଯାଦବ, ସମାଜବାଦୀ ପାର୍ଟି ଓଡିଶା ପ୍ରଦେଶ ସଭାପତି 

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଭାଜପା ସରକାର ଓଡିଶାରେ ନିଜର ଉପଲବ୍ଧତା ବଖାଣୁଛି  ଯାହା କେବଳ ନିଜର ଆତ୍ମ ପ୍ରଚାର ପାଇଁ ଉଦ୍ଧିଷ୍ଟ  ଏବଂ ବର୍ଷ ଏକ ବିଫଳତା ଅନେକ ବୋଲି କହି ଡବଲ ଇଂଜିନ ସରକାରକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତି ଯାଦବ I ସେ କହିଛନ୍ତି ଯେ ନିର୍ବାଚନ ବେଳେ ଓଡ଼ିଶାର ଅସ୍ମିତାକୁ ନେଇ ରାଜନୈତିକ ଦଳମାନଙ୍କ ଭିତରେ ବାଦାନୁବାଦ ଚାଲିଥିଲା ବେଳେ ଏହାକୁ ଆୟୁଧ କରି ସେମାନେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ । ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କୁ ରାଜ୍ୟର ଅସ୍ମିତା ଓ ସ୍ବାଭିମାନ ରକ୍ଷା ସହିତ ସାମୂହିକ ବିକାଶ ନିମନ୍ତେ ଡବଲ ଇଞ୍ଜିନ୍ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ। ଶାସନ ଭାର ହାତକୁ ନେବା ମାତ୍ରେ ଓଡ଼ିଶାର ସମସ୍ତ ସରକାରୀ ଅନୁଷ୍ଠାନର ରଙ୍ଗ ବଦଳାଇ କେବଳ ବଡ ବଡ ଵିଜ୍ଞାପନ ଛଡା ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆଉ କିଛି ଉପଲବ୍ଧତା ଥିବପରି ମନେ ହୁଏ ନାହିଁ I

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅନାହାରରେ ଆମ୍ବଟାକୁଆ ଜାଉ ଖାଇ ଲୋକ ମରିବା,  ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଫର୍ମାସିଷ୍ଟ ନଥିବା ଯୋଗୁଁ ରୋଗୀ ହନ୍ତସନ୍ତ ହେବା  ଚଢ଼ା ଦରରେ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣି ଚାଷୀଭାଇ ଅସୁବିଧାରେ ପଡ଼ିବା,ଧାନ ମଣ୍ଡିରେ ଗଜାହେବା,ଏମିତି ଅଗଣିତ ସମସ୍ୟାର ଜାଲରେ ପଡ଼ି ଛଟପଟ ହେଉଥିବା ଲୋକଙ୍କ ପାଇଁ ସରକାରଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଥିବା ବେଳେ ସରକାର ନିଜର ବର୍ଷପୂର୍ତ୍ତିର ଉପଲବ୍ଧତା ବଖାଣିବା ଲଜ୍ୟା ଜନକ ଘଟଣା I

ରଣକରି ଘିଅ ଖାଇବାରେ ଏବର ସରକାର ଏତେ ତତ୍ପର ଯେ ରାଜ୍ୟର ବିକାଶ ନାମରେ ଏପରି ଖର୍ଚ୍ଚମାନ କରୁଛନ୍ତି, ଯାହାରା ମୁଣ୍ଡପିଛା ଋଣଭାର ବଢ଼ି ଚାଲିଛି। ଆତ୍ମପ୍ରଚାର ନିମନ୍ତେ ପ୍ରତିଦିନ ଅଯଥାରେ ରାଜକୋଷକୁ ଲୁଟ କରାଯାଉଛି I ଏଥିରେ କେବଳ ଦଳୀୟ  ସ୍ୱାର୍ଥ ଛଡ଼ା ସାଧାରଣ ଲୋକଙ୍କର କିଛି ଲାଭ ହେଉନାହିଁ I  ବିଜେପି ସରକାର ଏବେ ନୂଆ ନୂଆ ଯୋଜନା ଓ ପ୍ରତିଶ୍ରୁତି ଗଣମାଧ୍ୟମରେ ଉପସ୍ଥାପନ କରିବା ସହିତ ୨୦୩୬ ବେଳକୁ ନୂଆ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି ଯାହା କେବଳ ଭାଷଣ ଆଇ ପ୍ରଚାର ସର୍ବସ୍ବ I  ଯାହା ଆଗରୁ ଅନେକବାର ବିଜେପି ଶାସିତ ରାଜ୍ୟ ମାନଙ୍କରେ ଦେଖା ଯାଇଛି I

ଆନ୍ତ ରାଜ୍ୟ ସୀମା ବିବାଦ, ଜଳ ବିବାଦ ସମସ୍ୟାର ସମାଧାନ କରିବାରେ ଭାଜପା ସରକାରର ବିଫଳତାକୁ ଦର୍ଶାଉଛି I ପୋଲଭରମ୍ ନିମନ୍ତେ ଆମ ରାଜ୍ୟର ଅପୂରଣୀୟ କ୍ଷତି ହେବାକୁ ବସିଛି। ଛତିଶଗଡ଼ ଆମ ରାଜ୍ୟର ଜୀବନଧାରା ମହାନଦୀରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରିବା ଫଳରେ ମହାନଦୀ ଓ ତା’ ଶାଖାନଦୀର ଶଯ୍ୟାମାନ ବର୍ଷସାରା ଶୁଖୁଲା ପଡୁଛି। ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମର ମାତୃଭାଷା ଓଡ଼ିଆକୁ ଏବେବି ଓଡ଼ିଶାର ବିଛିନ୍ନାଞ୍ଚଳରେ ବାସ କରୁଥିବା ଓଡ଼ିଆ ଭାଇଭଉଣୀ ମାନେ ଶିକ୍ଷା କରିବାର ମୌଳିକ ଅଧିକାରରୁ ବଞ୍ଚିତ । ପ୍ରତିଦିନ ଖବରକାଗଜମାନଙ୍କରେ ପ୍ରକାଶ ପାଉଥିବା ବିଭିନ୍ନ ଅଞ୍ଚଳର ସମସ୍ୟା ବହୁନ ଅନେକ ବାସ୍ତବ ବିକଳ ଚିତ୍ରମାନ ଶାସନକଳର ଦୃଷ୍ଟିକୁ ଆସୁଥିଲା ପରି ମନେ ହେଉନାହିଁ । ରୋଗୀ ବଣ ଜଙ୍ଗଲର ଦୁର୍ଗମ ରାସ୍ତାରେ ଖଟିଆ- ଭାରରେ ଡାକ୍ତରଖାନାକୁ ଆସିବା, ପିଇବାପାଣି ପାଇଁ  ଲୋକେ ହାହକାର ହେବା ସରକାଙ୍କ ଉପଲବ୍ଧତା I

ଏବେ ରାଜ୍ୟରେ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । କାମ ନପାଇ ଲୋକେ ବାହାରକୁ ଯାଇ ଯାହା ତ ରୋଜଗାର କରୁଛନ୍ତି, ତହିଁରେ ଅତ୍ୟାଚାରିତ ଓ ମୃତ୍ୟୁର ଶିକାର ହେଉଛନ୍ତି | ଚାଷୀ ଭାଇଙ୍କ ଦୁଃଖ କେବେ ଲାଘବ ହେବ ସେ କ‌ଥା ସରକାରଙ୍କୁ ଜଣା | ଅଭାବୀ ବିକ୍ରୀ ସହିତ ଫସଲ ସାଇତି ରଖୁବାର ଘୋର ଅସୁବିଧା ପାଇଁ ସେମାନେ କି ହଇରାଣ ହରକତ ହେଉଛନ୍ତି ସେ କଥା ସମସ୍ତେ ଜାଣୁଥିଲେ ବି ପ୍ରତିକାର ବ୍ୟବସ୍ଥା ହୋଇ ପାରୁନାହିଁ । ଶୀତଳ ଭଣ୍ଡାର ନିର୍ମାଣ ଘୋଷଣା ପରେ ପୁରାପୁରି ଶିତଳ ପଡ଼ିଯାଇଛି। ତେଣୁ ସରକାର ୨୦୩୬ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଇ ଓଡିଶା ଲୋକଙ୍କୁ ଭୁଆଁ ବୁଲାଇବା ପରିବର୍ତ୍ତେ ଓଡିଶାର ପ୍ରକୃତ ବିକାଶ ପାଇଁ ଚେଷ୍ଟା କରିବା ଉଚିତ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.