ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ା ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା, ଖାଦ୍ୟ ପଦାର୍ଥର ମାନ ଇତ୍ୟାଦିକୁ ତନଖି କରାଯାଇଥିଲା । ଏହି କ୍ରମରେ ରାୟଗଡ଼ା ରେଳ ଷ୍ଟେସନ୍ ନିକଟରେ ଥିବା ୨୪ x ୭ ରେଷ୍ଟୁରାଣ୍ଟରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନ ମାନର ଏବଂ ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା । ତଦନ୍ତ ସମୟରେ ୩ ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ପରେ ହୋଟେଲ କୈଳାସ, ରାୟଗଡ଼ାରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ଵାସ୍ଥ୍ୟକର ପରିବେଶ, ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ, ଚାଇନା ସଲ୍ଟ ଦେଖିବାକୁ ମିଳିଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହା ପରେ ହୋଟେଲ ସାଇ ଇନ୍ଟରନ୍ଯାସନାଲ ଏବଂ ବାର ରାୟଗଡ଼ାରେ ମଧ୍ୟ ଚଢାଉ ହୋଇଥିଲା । ବାର ର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରି ନ ଥିଲେ ହୋଟେଲ କତୃପକ୍ଷ । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରାଯାଇଥିଲା । ଏହି ଚଢାଉ ବେଳେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସୁହାନା ଭୋଇ, ଫୁଡ୍ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ସୋରେନ, ରାୟଗଡ଼ା ଏ ସି ଏସ୍ ଓ, ସାନିଟାରୀ ଏକ୍ସପର୍ଟ ବିନୟ ବିକ୍ରମ ପରିଚ୍ଛା, ସୁହାଁସ ଭୋଇ, ପୋଲିସ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ହୋଟେଲର ମାଲିକମାନଙ୍କୁ ସ୍ଵାସ୍ଥ୍ୟକର ଏବଂ ଉନ୍ନତ ମାନର ଖାଦ୍ୟ ପରଶିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।