ଓଡିଆ ବାର୍ତ୍ତା/ ଖୋର୍ଦ୍ଧା: ପ୍ରକାଶ ପାଇଛି ରୁଦ୍ର ଇ-ପତ୍ରିକାର ଦ୍ଵିତୀୟ ବର୍ଷର ଦ୍ଵିତୀୟ ସଂଖ୍ୟା। ଏହି ସଂଖ୍ୟାଟି ମଇ-ଜୁନ ମାସରେ ଆସିଥିବା ଲେଖକ ଓ କବିମାନଙ୍କ ଲେଖାକୁ ସ୍ଥାନିତ କରାଯାଇଛି। ଓଡ଼ିଆ ମାସର ଶ୍ରେଷ୍ଠ ପର୍ବ ହେଉଛି ରଜ। ଏହି ପବିତ୍ର ପର୍ବ ଉପଲକ୍ଷେ ପତ୍ରିକାର ଏହି ସଂଖ୍ୟାକୁ ରଜ ବିଶେଷାଙ୍କ ଭାବରେ ଉଲ୍ଲେଖ କରାଯାଇଛି। ଏହାର ଭିତରେ କାର୍ଯ୍ୟକାରୀ ସଦସ୍ୟ ପୃଷ୍ଠା ସହିତ ଉତ୍ସର୍ଗ ପୃଷ୍ଠା ମଧ୍ୟ ରହିଛି। ପରେ ପରେ ପ୍ରତିଷ୍ଠାତାଙ୍କ ମନନ ରହିଛି। ସେଥିରେ ପ୍ରତିଷ୍ଠିତା ବିଷ୍ଣୁ ପ୍ରସାଦ ଦାସ ଓଡ଼ିଶାରେ ପାଳିତ ରଜ ପର୍ବ ବିଷୟରେ ସମାକ୍ୟ ଜ୍ଞାନ ଦେବା ସହିତ ଓଡ଼ିଆ ସାହିତ୍ୟରେ ରୁଦ୍ର ଇ-ପତ୍ରିକାର ଭୂମିକା ବିଷୟରେ ତଥ୍ୟ ରଖିଛନ୍ତି। ଏହି ପତ୍ରିକାର ସମ୍ପାଦକୀୟ ପୃଷ୍ଠାରେ ସମ୍ପାଦକ ବାଦଲ ପଲେଇଙ୍କ ଏକ ଆଲେଖ୍ୟ ରହିଛି। ସେ ସେଥିରେ ଓଡ଼ିଶାର ରଜ ପର୍ବ ଏବଂ ଆଧୁନିକ ସାହିତ୍ୟରେ ଇ – ପତ୍ରିକାର ଭୂମିକା ସହିତ ରୁଦ୍ର ଇ -ପତ୍ରିକାର ଦୀର୍ଘାୟୁ କାମନା କରିଛନ୍ତି। ମନୋଜ କୁମାର ପଣ୍ଡାଙ୍କ ସମେତ ଏଥିରେ ୮ଗୋଟି ଉନ୍ନତ ମାନର ପ୍ରବନ୍ଧ ସ୍ଥାନିତ ହୋଇଛି। ଓଡ଼ିଆ ବିଶ୍ବବିଦ୍ୟାଳୟ,ସତ୍ୟବାଦୀ ପୁରୀର ଓଡ଼ିଆ ବିଭାଗର ଅଧ୍ୟାପିକା ଡା. ଶର୍ମିଷ୍ଠା ମହାପାତ୍ରଙ୍କ ଗଳ୍ପ ‘ଖାଲି ବୋଝ ‘ ସମେତ ୬ଟି ଗଳ୍ପ ସ୍ଥାନିତ ହୋଇଥିବା ବେଳେ, କବିତା ବିଭାଗରେ ପ୍ରାୟ ଷାଠିଏଟି କବି ଏବଂ କବୟିତ୍ରୀଙ୍କ ରଚିତ କବିତା ସ୍ଥାନିତ ହୋଇଛି।
ଏହି ପତ୍ରିକାରେ ଆଜିର ଅତିଥି ବିଭାଗରେ ଯୁବ ଗାଳ୍ପିକ ତଥା ଯୁବ ଔପନ୍ୟାସିକ ସ୍ୱରୂପ କୁମାର ନାୟକ ରହିଛନ୍ତି। ସେ ନିଜର ରହସ୍ୟ ଉପନ୍ୟାସ ଲେଖିବାର ଶୈଳୀ ସହିତ ନିଜ ଜୀବନର କେତେକ ସ୍ମୁତିକୁ ପାଠକମାନଙ୍କ ପାଖରେ ଉପସ୍ଥାପନା କରିଛନ୍ତି। ଅତିଥି ଭାବରେ ଅନେକ ପ୍ରଶ୍ନର ଉତ୍ତର ଦେବା ସହ ଏହି ପତ୍ରିକାର ଦୀର୍ଘାୟୁ କାମନା କରିଛନ୍ତି। ପରେ ପରେ ଚିତ୍ରକଳା ବିଭାଗରେ କନ୍ଧମାଳର ଯୁବ ଚିତ୍ରଶିଳ୍ପୀ ବିନେଶ ମଲ୍ଲିକଙ୍କ ଚିତ୍ରଗୁଡିକ ସ୍ଥାନ ପାଇଛି। ଶେଷରେ ଏହି ପତ୍ରିକାର ନିୟମାବଳୀ ସମ୍ପର୍କରେ ବିସୃତ ବିବରଣୀ ପ୍ରଦାନ କରାଯାଇଛି।ଏହି ପତ୍ରିକା ପ୍ରକାଶ ପାଇଁ ଅପେକ୍ଷାରେ ଥିବା ସମସ୍ତ ପାଠକ ଏହାକୁ ଆଦରର ସହ ଗ୍ରହଣ କରିବା ସହ ଏହାର ରୂପସଜ୍ଜା ଏବଂ ସାହିତ୍ୟ ପ୍ରତି ଥିବା ଯୋଗଦାନ ପାଇଁ ସାଧୁବାଦ ଜଣାଇଛନ୍ତି।ପତ୍ରିକାକୁ ଭଲପାଉଥିବା ସମସ୍ତ ପାଠକ ଏବଂ ଲେଖକମାନଙ୍କୁ ରୁଦ୍ର ଇ-ପତ୍ରିକାର ସମ୍ପାଦକ ଶ୍ରୀମାନ ବାଦଲ ପଲେଇ କୃତଜ୍ଞତା ଜ୍ଞାପନ କରିବା ସହ ସାହିତ୍ୟ ପ୍ରତି ଆହୁରି ଆଗ୍ରହ ପ୍ରକାଶ କରି ସାହିତ୍ୟକୁ ସମୃଦ୍ଧ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।