ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା-ଭବାନୀପାଟଣା ମୁଖ୍ୟ ରାସ୍ତା ଚିପୁଲ ବୁଲାଣି ଦୁର୍ଘଟଣାର ହବ ପାଲଟିଛି। ଭବାନୀପାଟଣା-ଭୁବନେଶ୍ୱର ରାଜରାସ୍ତାରେ ଭବାନୀପାଟଣା ପଟୁ ନର୍ଲାର ପ୍ରବେଶ ଦ୍ଵାରରେ ରହିଥିବା ଏହି ବୁଲାଣିଟି ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବା ଯୋଗୁଁ ଏଠାରେ ଦୁର୍ଘଟଣା ସଂଘଟିତ ହେବା ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ଗତ ନଭେମ୍ବର ମାସରେ ୪ ଗୋଟି ଦୁର୍ଘଟଣା ଘଟିଥିବା ବେଳେ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଦୁଇଗୋଟି ଦୁର୍ଘଟଣା ସଂଘଟିତ ହୋଇଥିଲା। ପ୍ରାୟ ପ୍ରତି ମାସରେ ଏହି ସ୍ଥଳରେ ଗୋଟିଏ ଦୁଇଟି ଦୁର୍ଘଟଣା ନିଶ୍ଚୟ ଘଟିଥାଏ। ଗତ ୫ ବର୍ଷ ମଧ୍ୟରେ ଏଠାରେ ୩୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ଏକ ଆକଳନରୁ ଜଣାପଡିଛି। ୩୦ ଗୋଟି ଦୁର୍ଘଟଣା ମଧ୍ୟରୁ ୨୦ ଗୋଟି ଦୁର୍ଘଟଣା ଅତି ଭୟଙ୍କର ଦୁର୍ଘଟଣା ଭାବରେ ପରିଗଣିତ ହୋଇଛି। ଏଥିରେ ଅନେକ ଧନ ଜୀବନ ମଧ୍ଯ ଯାଇଛି। ଏବେ ଛତିକୁଡ଼ାରୁ ନର୍ଲା ରାସ୍ତା ପ୍ରସସ୍ଥିକରଣ କାମ ଚାଲିଛି। ଏଣୁ ଏଠାକାର ଦୁର୍ଘଟଣାକୁ ପ୍ରତିହତ କରିବାକୁ ହେଲେ ଚିପୁଲ ବୁଲାଣି ପୂର୍ବରୁ ଦୁଇପଟେ ଲମ୍ବା ସ୍ପିଡ ବ୍ରେକର କିମ୍ବା ସ୍ପିଡ ଟ୍ରାକର କ୍ୟାମେରା ଲଗାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।