କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି କୁସୁମଖୁଣ୍ଟି ପଦରପଡାବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମେଟେର ଗ୍ରାମ ପଞ୍ଚାୟତ କୁସୁମଖୁଣ୍ଟି ପଦରପଡା (କେନାଲ ଉପର ପଡା) ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଖାଲଖମା ସହ ପାଣି ଜମି କାଦୁଅ ପଚପଚ ହୋଇଯାଉଛି। ଫଳରେ ଲୋକେ ଯାତାୟାତବେଳେ ଅନେକ ଅସୁବିଧା ଭୋଗୁଥିବା ପ୍ରକାଶ କରିଛନ୍ତି। କୁସୁମଖୁଣ୍ଟି କେନାଲ ଛକଠାରୁ ଏହି ରାସ୍ତା ସାରସମାଲ, ଡହଗାଁ ଦେଇ ବେହେରା ଗ୍ରାମକୁ ସଂଯୋଗ କରୁଛି। ଅନେକ ଦିନରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ପ୍ରତିଦିନ ଶହ ଶହ ଲୋକଙ୍କ ସହ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଯିବା ଆସିବା କରିଥାନ୍ତି। ପ୍ରାୟ ୨/୪ କିଲୋମିଟର ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଇଛି। ବର୍ଷାଦିନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯିବା ଆସିବା ଚିନ୍ତାର କାରଣ ହୋଇଛି। ଅନ୍ୟପଟେ ପଡ଼ାରେ ୪୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ କାଦୁଅ ରାସ୍ତା ଯୋଗୁଁ ପ୍ରତିଦିନ ହଟହଟା ହେବା ସହ ଘରୁ ଗୋଡ କାଢ଼ିବା ପାଇଁ ମୁସ୍କିଲ ହେଉଛି। ଏନେଇ ରାସ୍ତା ନିର୍ମାଣ ଦିଗରେ ସ୍ଥାନୀୟ ଲୋକେ ବହୁବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ରାସ୍ତାର ଉନ୍ନତି ଦିଗରେ କୈାଣସି ଦୃଷ୍ଟି ଦେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କ ଯାତାୟାତ ସୁବିଧା ନିମନ୍ତେ ବର୍ଷା ଦିନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.