ଜିଲ୍ଲାର ବିକାଶରେ ସମସ୍ତେ ଏକାଠି ହୁଅନ୍ତୁ -ଅରବିନ୍ଦ ଦାସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଶନିବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା। ନୂଆକରି କଂଗ୍ରେସରେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ବୈଠକରେ ଶ୍ରୀ ଦାସ କହିଥିଲେ, “ଅଶୀ ଦଶକର ମଧ୍ୟ ଭାଗରେ ପଶ୍ଚିମ ଓଡିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜ ଛାତ୍ରସଂସଦର ସାଧାରଣ ସଂପାଦକ ନିର୍ବାଚିତ ହେବା ସମୟରୁ ଭବିଷ୍ୟତରେ ନୀତିଶ୍ରେଷ୍ଠ ରାଜନୀତିରେ ଯୋଗ ଦେବାର ସ୍ବପ୍ନ ଥିଲା। ବିଳମ୍ବରେ ହେଲେ ସୁଦ୍ଧା ସ୍ବପ୍ନ ସାକାର ହୋଇଛି। ରାଜନୈତିକ ସ୍ରୋତର ପ୍ରତିକୂଳ ପହଁରିବା ପାଇଁ ଦେଶର ସର୍ବପୁରାତନ ଦଳ କଂଗ୍ରେସରେ ଯୋଗ ଦେଇଛି। ସାମ୍ବାଦିକତାର ୨୩ ବର୍ଷରେ ସାଉଁଟିଥିବା ଅଭିଜ୍ଞତାକୁ ସାଧାରଣ ଜୀବନରେ ଉପଯୋଗ କରି ମାତୃଭୂମିର ସେବା କରିବା ପାଇଁ ସୁଯୋଗ ସୃଷ୍ଟି କରିବି। ବିଜେପି ନେତୃତ୍ବାଧୀନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଭାବେ ନିର୍ବାଚନ ପ୍ରତିଶ୍ରୁତିରୁ ଓହରିଯିବା ଅଭ୍ୟାସରେ ପରିଣତ ହୋଇଛି। ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ଯୋଜନାବଦ୍ଧ ଭାବେ କେନ୍ଦ୍ର ହତ୍ୟା କରିଚାଲିଥିବା ବେଳେ ନାରୀ ନିର୍ଯାତନା ଓ ହଇଜା ପରି ମହାମାରୀ ପ୍ରତି ରାଜ୍ୟ ସରକାରଙ୍କ ସମ୍ବେଦନଶୂନ୍ୟତା ନିନ୍ଦନୀୟ।” ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଖି ବୁଜିଦେବା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ପଙ୍ଗୁ ଅବସ୍ଥାରେ ରଖିବା, ଜିଲ୍ଲାରେ ଜଳସେଚନ ପାଇଁ କୌଣସି ପଦକ୍ଷେପ ନିଆ ନଯିବା ନେଇ ସେ ସାମ୍ବାଦିକମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗକୁ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ସହମତିର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ। ଏହାସହ ରାଜଧାନୀରେ ଉପଯୁକ୍ତ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରିବେ ବୋଲି ଶ୍ରୀ ଦାସ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.