ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା ଓ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଅଭିଯୋଗ ସମସ୍ୟା ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ବୋମିକା ଗ୍ରାମ ପଞ୍ଚାୟତ ସମେତ କଣ୍ଟରାଗଡ , ମଧୁସୂଦନପୁର ଓ ମାଛମାରା ପଞ୍ଚାୟତର ମୋଟ-୫୪ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୫ ଗୋଟି ଏବଂ ଗ୍ରାମ ଭିତ୍ତିକ ସମସ୍ୟା- ୩୯ ଗୋଟି ଅଭିଯୋଗ ଆସିଥିଲା । ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା , ସାମାଜିକ ସୁରକ୍ଷା , ଜମି ପଟ୍ଟା , ମନରେଗା , ଗୃହ ନିର୍ମାଣ , ରାସନ୍ କାର୍ଡ , ଶିକ୍ଷା , ଜଳ ସେଚନ , ସ୍ଵାସ୍ଥ୍ୟ ଓ ରାସ୍ତା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଏହି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମୟରେ ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ: ବୀରାରାଜୁ , ଗୋଷାଣୀ ବିଡ଼ିଓ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ତହସିଲଦାର ଶ୍ରୀ ନାରାୟଣ ବେହେରା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରଖ ଅଲ୍ଲୀ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।