ସିମନବାଡ଼ି ଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ଡାଇଭର୍ସନ ରାସ୍ତା ପୁଣି ଧୋଇଗଲା : ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ସପ୍ତାହ ରୁ ଉର୍ଦ୍ଧ ଦିନ ଧରି ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛି। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଦେଇ ବହି ଯାଉଥିବା ଗୁମା ନଦୀରେ ବର୍ଷାଜଳ ବୃଦ୍ଧି ପାଇ ପୁଣି ଡାଇଭର୍ସନ ରାସ୍ତାକୁ ଧୋଇଦେବା ସହ ତା’ ଉପରେ ପାଣି ଯାଉଛି। ଫଳରେ ପୁଣି ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ଆଦିକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତିଲୋରୀ, ବୁଡ଼ାଗୁଡ଼ା ଆଦି ଅଞ୍ଚଳକୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯାଉଥିବା ବେଳେ ଗୁମା ନଦୀରେ ଯାତାୟାତ ବନ୍ଦ ପାଇଁ ଅଧାରୁ ଫେରିଛନ୍ତି। ସେହିପରି ସେହି ସବୁ ଅଞ୍ଚଳରୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ସିମନବାଡ଼ି, ଦାରିଙ୍ଗବାଡ଼ିକୁ ଆସୁଥିବା ଲୋକ ବାଟରୁ ନିରାଶରେ ଫେରିଛନ୍ତି। ସେହି ରାସ୍ତାରେ ଏବେ ଆମ୍ବୁଲାନ୍ସ ମଧ୍ୟ ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ମାସ ୨୪ ତାରିଖରେ ଉକ୍ତ ଗୁମା ନଦୀର ଡାଇଭର୍ସନ ରୋଡ୍‌କୁ ବର୍ଷାଜଳ ଭସାଇ ନେଇଥିବା ବେଳେ ୨ ଦିନ ପରେ ଚଳାଚଳ ସ୍ବାଭାବିକ ହୋଇଥିଲା। ପୁଣି ଏବେ ଆଉ ଥରେ ଭସାଇ ନେଇଥିବାରୁ ଜନସାଧାରଣ ଙ୍କ ସମେତ ପ୍ରଶାସନ ର ଚିନ୍ତା ବଢ଼ି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.