ଆସିପରିଲାନି ଆମ୍ବୁଲାନ୍ସ, ବର୍ଷିକୋଣାରେ ଖଟିଆରେ ବୁହା ହେଲେ ଗର୍ଭବତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡୁଛି ନାହିଁ ନଥୁବା ଦୁର୍ଦ୍ଦଶା। ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି ବୋଲି ଜୀବନ ଯନ୍ତ୍ରଣାରେ ଛଟପଟ ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ଘଟିଥାଏ। ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୂନସୁ ବାର୍ଷିକୋଣା ଗାଁରେ। ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା (୨୨) ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ରାସ୍ତା ଅଭାବ ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାରେ ଅଟକି ଅପେକ୍ଷା କରିଥିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ବୁହାହୋଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। 
ଦିନ ୧୨ଟା ବେଳେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ରଞ୍ଜିତା ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଛନ୍ତି। ମାଆ ଓ ଛୁଆ ଦୁହେଁ ସୁସ୍ଥ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.