କ୍ଷେତରେ କେନ୍ଦୁ ଶାଖା ସ୍ଥାପନ କଲେ ମଗଧା ଯାଦବ : ହରାଲି ଉଆଁସରେ ଉତ୍ସବମୁଖର ଗ୍ରାମ୍ୟ ପରିବେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚିତାଉ ଅମାବାସ୍ୟା ଓଡିଶାର କୃଷି ଭିତ୍ତିକ ଅନ୍ୟତମ ମହାନ ପର୍ବ ହୋଇଥିବାବେଳେ କଳାହାଣ୍ଡିରେ ଏହା ଭିନ୍ନ ରୂପରେ ପାଳିତ ହୋଇଥାଏ। ଚିତାଲାଗି ଅମାବାସ୍ୟାକୁ ପଶ୍ଚିମ ଓଡ଼ିଶାରେ ହରାଲି ଉଆଁସ ବୋଲି କୁହାଯାଏ। ଆଜି ହରାଲି ଉଆଁସକୁ ନେଇ ନର୍ଲା ସମେତ କଳାହାଣ୍ଡିର ଗ୍ରାମ୍ୟ ପରିବେଶ ଉତ୍ସବ ମୁଖର ହୋଇଉଠିଛି। ଏହି ଅଞ୍ଚଳର ବିଭିନ୍ନ ସଂପ୍ରଦାୟ କୂଳାଚାର ରିତି ଅନୁସାରେ ଏହି ପର୍ବ ପାଳନ କରିଥାନ୍ତି। ତେବେ କଳାହାଣ୍ଡିର ମଗଧା ଯାଦବ ସଂପ୍ରଦାୟ ଭିନ୍ନ ଢ଼ଙ୍ଗରେ ହରାଲି ଉଆଁସ ପାଳନ କରିଥିବା ଦେଖାଯାଇଛି। ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଯୁଦ୍ଧରେ ଯୋଗଦେବାକୁ ମଗଧରୁ ଚନ୍ଦ୍ରବଂଶୀ କ୍ଷତ୍ରିୟମାନେ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗକୁ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ଶାନ୍ତି ସ୍ଥାପନ ହେଲା। ତେବେ ସମ୍ରାଟ ଅଶୋକ ବିଜୟୀ ମଗଧା ବାହିନୀକୁ ମଗଧ ନନେଇ କଳିଙ୍ଗର ପଡୋଶୀ ଆଟବିକ ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର)ରେ ଥଇଥାନ କରାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ମହା କୋଶଳ ରାଜ୍ୟ (ବର୍ତ୍ତମାନର ପଶ୍ଚିମ ଓଡ଼ିଶା)ରେ ସ୍ଥାୟୀ ଭାବରେ ବସବାସ କଲେ। ମଗଧରୁ ଆସିଥିବାରୁ ଏହି ଗୋଷ୍ଠୀକୁ ମଗଧା ଯାଦବ ବୋଲି କୁହା ଯାଇଥାଏ। ପରବର୍ତ୍ତୀ ସମୟରେ ଏମାନେ କୃଷିଜୀବୀ ସମୁଦାୟରେ ପରିଣତ ହେଲେ। ସମ୍ରାଟ ଖାରବେଳଙ୍କ ଶାସନ କାଳରେ ଏମାନେ କୃଷିକର୍ମ ଓ କ୍ଷତ୍ରୀୟ ବୃତ୍ତି ଉଭୟ ଆଚରୁଥିବା ଐତିହାସିକ ତଥ୍ୟରୁ ଜଣାପଡେ। ହରାଲି ଉଆଁସର ଛତ୍ରେ ଛତ୍ରେ ମଗଧା ଯାଦବଙ୍କ ଗାଥା ବାରିହୋଇ ପଡ଼ିଥାଏ। ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି ଗୁରୁବାର ସକାଳୁ ମଗଧା ଯାଦବ ଗୃହକର୍ତ୍ତା ଓ ଗୃହିଣୀ ଗାଧୁଆ ପାଧୁଆ ସାରି ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଗାଇ ଗୋରୁଙ୍କୁ ବନ୍ଦାପନା କରିଥିଲେ। ଗୋବନ୍ଦାଣ ପରେ ଗୃହକର୍ତ୍ତା ଓ ଘରର ଅନ୍ୟ ସଦସ୍ୟମାନେ କୃଷି କ୍ଷେତ୍ରକୁ ଯାଇ କେନ୍ଦୁ ବୃକ୍ଷକୁ ପୂଜାର୍ଚ୍ଚନା କରି ସେହି ବୃକ୍ଷର ଏକ ଶାଖା ନେଇ କ୍ଷେତରେ ସ୍ଥାପନ କରିଥିଲେ। କେନ୍ଦୁ ଗଛର ଶାଖାକୁ କ୍ଷେତରେ ସ୍ଥାପନ ସହ କ୍ଷୀର, ହଳଦୀ, ଅରୁଆ ଚାଉଳ, ଦୁବପତ୍ର, ବରପତ୍ର ଦେଇ ବନ୍ଦାପନା କରାଯାଇଥିଲା। ପୂର୍ବେ ମଗଧା ଯାଦବମାନେ ଶ୍ରାବଣ କୃଷ୍ଣ ଅମାବାସ୍ୟା ଦିନ କୃଷି କ୍ଷେତ୍ରରେ କେନ୍ଦୁ ଶାଖା ସ୍ଥାପନ କରି ସମରଭ୍ଯାସ କରିବାକୁ ଆଖଡାକୁ କିମ୍ବା ସୀମାକୁ ଚାଲି ଯାଉଥିଲେ। ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହା ପରମ୍ପରା ହୋଇ ରହିଛି। ଏହି ଦିନ ଚରଡାଙ୍ଗ ଦିଆ ଯାଇଥାଏ। ହରାଲି ଉଆଁସ ଦିନ ମଧ୍ୟ ପିତୃପୁରୁଷଙ୍କୁ ମସାନ କୁନାରେ ମନସା ଆଦରା କରି ଅସ୍ତ୍ରଶସ୍ତ୍ର ପୂଜା କରାଯାଇ ପିଠା, କ୍ଷୀରୀ, ଅନ୍ନ ବ୍ୟଞ୍ଜନ ଭୋଗ ଲଗାଯାଇଥାଏ। ସନ୍ଧ୍ୟାରେ ବନ୍ଧୁବାନ୍ଧବ, ହଲିଆ ତୁଲିଆଙ୍କୁ ଡାକି ଭୁରି ଭୋଜନରେ ଆପ୍ୟାୟିତ କରାଯାଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.