ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ବିଇଓ, ବିଆରସିସି ଓ ସିଆରସିସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି ନିଲେଶ କୁମାର ନାଗ): ଶିକ୍ଷାର୍ଥୀର ସାମଗ୍ରିକ ବିକାଶ ପାଇଁ ତୃଣମୂଳ ସ୍ତରରୁ ଶିକ୍ଷାର ମୂଳଦୁଆକୁ ମଜବୁତ୍ କରିବାକୁ ହେବ। ଏଥିପାଇଁ ସିଆରସିସି ମାନେ ଜିଲ୍ଲା ଶିକ୍ଷା ବିଭାଗର ଆଖି ଓ କାନ ଭାବେ କାମ କରୁଛନ୍ତି। ସେମାନଙ୍କ ବହୁମୂଲ୍ୟ ଯୋଗଦାନ ଜିଲ୍ଲାର ଶିକ୍ଷା ପ୍ରଗତି ପାଇଁ ବେଶ ସହାୟକ ହୋଇପାରିବ। ସେହିପରି ବିଇଓ ଏବଂ ବିଆରସିସିଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ସମସ୍ତ ବିଇଓ, ବିଆରସିସି ଏବଂ ସିଆରସିସି ନିଷ୍ଠାପର ଭାବରେ କାର୍ଯ୍ୟ କରନ୍ତୁ ବୋଲି ଜିଲ୍ଲାସ୍ତରୀୟ ବିଇଓ, ବିଆରସିସି ଓ ସିଆରସିସି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ, ବରିଷ୍ଠ ବିଇଓ ତପିମଣି ଜାନୀ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ସମଗ୍ର ଶିକ୍ଷା ଆର୍ଥିକ ପରାମର୍ଶଦାତା ସାଧୁ ଶରଣ ପ୍ରସାଦ, ଆଇପିଇ ରୂପସିଂ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଏକଦିବସୀୟ ଏହି ସମୀକ୍ଷା ଓ ପ୍ରଶିକ୍ଷଣରେ ଜିଲ୍ଲାରେ ତୃଣମୂଳ ସ୍ତରରେ ଗୁଣାତ୍ମକ ଶିକ୍ଷାର ସଫଳ ରୂପାୟନ ପାଇଁ ଗୁରୁତ୍ବ ଦିଆଯାଇଥିଲା। ସମଗ୍ର ଶିକ୍ଷାର ବିଭିନ୍ନ ଉପବିଭାଗ ଅର୍ଥ, ଏମଆଇଏସ, ଅନ୍ତର୍ନିବେଶୀ ଓ ବାଳିକା ଶିକ୍ଷା, ଶୈକ୍ଷିକ କୌଶଳ ପ୍ରଭୃତି ଉପରେ ଆଲୋଚନା ସହ ପଞ୍ଚସଖା ଶିକ୍ଷାସେତୁ, ବିଜ୍ଞାନ ଶିକ୍ଷା ବିଷୟରେ ଆଲୋଚନା ହୋଇଥିଲା। ସେହିପରି ଜାତୀୟ ଶିକ୍ଷାନୀତି, ଡ୍ରପଆଉଟ୍ ନିଦାନ ପାଇଁ ଆସ ସ୍କୁଲ ଯିବା, ଏକ ପେଡ ମା କେ ନାମ ପ୍ରଭୃତି ସରକାରଙ୍କ ଚଳନ୍ତି ଯୋଜନା ତଥା ସିଆରସିସିଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ମଧ୍ୟ ବିଶଦ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଆର୍ଥିକ ପରାମର୍ଶଦାତାଙ୍କ ସମେତ ପ୍ରୋଗ୍ରାମର ସୌମେନ୍ଦ୍ର ପଟ୍ଟନାୟକ, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ପଞ୍ଚସଖା ଶିକ୍ଷା ସେତୁ ସଂଯୋଜକ ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ସିଆରସିସି, ଵିଆରସିସି, ବିଇଓଙ୍କୁ ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଉପରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ସିଆରସିସି, ଵିଆରସିସି, ଏବଂ ବିଇଓ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.