ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ ଡିଲେଶ୍ୱର ରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଆୟୋଜିତ ୭୯ତମ ସ୍ବାଧିନତା ଦିବସରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମିଳିଛି। ଭାରତ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। କଳାହାଣ୍ଡିର ଜଣେ ଯୁବଲେଖକ ଭାବେ ପ୍ରଥମଥର ପାଇଁ ଲାଲକିଲ୍ଲାସ୍ଥିତ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପତାକା ଉତ୍ତୋଳନ ଓ ଦେଶକୁ ସମ୍ବୋଧନ ପର୍ବରେ ଉପସ୍ଥିତ ହେବ ସହ ସେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଧଅଁରାମାଲ ଗାଁରେ ଜନ୍ମିତ ଡିଲେଶ୍ୱରଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ରଚନା, ଅଭିନୟ ଓ ଉପସ୍ଥାପନାରେ ବେଶ୍ ରୁଚି ରହିଛି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଅକାଦେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ଜଣେ ଲେଖକ ଭାବେ କଳାହାଣ୍ଡିରୁ ସେ ଜାତୀୟ ସ୍ଵାଧୀନତା ଦିବସ ଉତ୍ସବରେ ସାମିଲ ହେଉଥିବାରୁ ଅନେକ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.