ନାନୋ ସେରାମିକ୍ସ ସମ୍ବନ୍ଧୀୟ ଗବେଷଣାରେ ଅର୍ପିତା ଦୀକ୍ଷିତଙ୍କ କୃତିତ୍ଵ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କ୍ଷୁଦ୍ରାତିକ୍ଷୁଦ୍ର ନାନୋ ସେରାମିକ୍ସ ପଦାର୍ଥର ବିବିଧ ପ୍ରୟୋଗ ତଥା ସମ୍ଭାବ୍ୟ ଉପଯୋଗୀତା ସମ୍ବନ୍ଧରେ ଦୀର୍ଘ ଛଅ ବର୍ଷ ଗବେଷଣା କରି ଯୁବ ଗବେଷିକା ଅର୍ପିତା ପ୍ରିୟଦର୍ଶିନୀ ଦୀକ୍ଷିତ କିଟ୍ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି. ଡିଗ୍ରୀ ଲାଭ କରିଛନ୍ତି। ତାଙ୍କ ଗବେଷଣା ଭୌତିକ ବିଜ୍ଞାନ ଓ ନାନୋ ପ୍ରଯୁକ୍ତିର ଅଭିନବତାକୁ ପ୍ରସାରିତ କରିଛି। ଏହା ପୂର୍ବରୁ ସେ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ, ସରାଙ୍ଗରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ଅର୍ପିତାଙ୍କ ସନ୍ଦର୍ଭଟି କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଏସ୍.କେ.ଏସ୍. ପରାଶରଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ।ଆଇ.ଆଇ.ଟି., ରୁର୍କିର ପ୍ରଫେସର ରମେଶ ଚନ୍ଦ୍ର ସନ୍ଦର୍ଭର ଉଚ୍ଚ ପ୍ରଶଂସା କରିଛନ୍ତି। ଅର୍ପିତା ନେଦରଲ୍ୟାଣ୍ଡର ମାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟରେ ସୋସିଆଲ ରୋବଟିକ୍ସ ସମ୍ବନ୍ଧରେ ଗବେଷଣା ଜାରି ରଖିଥିବା ଡକ୍ଟର ଚିନ୍ମୟ ମିଶ୍ରଙ୍କ ଧର୍ମପତ୍ନୀ। ପୁରୀରେ ଅବସ୍ଥାନ କରୁଥିବା କବି ତଥା ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ଼ ଚିତ୍ତରଞ୍ଜନ ମିଶ୍ର ଓ ରୋଟାରିଆନ଼ ଶ୍ରୀମତୀ ସୁଷମା ମିଶ୍ର (ପତି)ଙ୍କ ସେ ପୁତ୍ରବଧୂ ତଥା ସୋର ନିକଟସ୍ଥ ଅଙ୍କବ୍ରହ୍ମପୁର ନିବାସୀ ଶ୍ରୀ ମନୋଜ କୁମାର ଦୀକ୍ଷିତ ଓ ଶ୍ରୀମତୀ ଦୀପିକା ଦୀକ୍ଷିତଙ୍କ ଜ୍ୟେଷ୍ଠା କନ୍ୟା। ସ୍ଵଗ୍ରାମର ପ୍ରଥମ ପିଏଚଡ଼ି ଧାରକ ହିସାବରେ ସେ ସମସ୍ତଙ୍କ ପ୍ରଶଂସା ଭାଜନ ହେବା ସହ ଯୁବପିଢିଙ୍କ ନିମନ୍ତେ ପ୍ରେରଣାମୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଭୌତିକ ବିଜ୍ଞାନ କ୍ଷେତ୍ରରେ ନାନୋ ପ୍ରଯୁକ୍ତିର ଅଧ୍ୟୟନ ତଥା ପରିବେଶ ଅନୁକୂଳ ପ୍ରଦୂଷଣ ମୁକ୍ତ ସେରାମିକ୍ସ ଉପାଦାନ ବିକଶିତ କରି ତାହା ସାହାଯ୍ୟରେ ଯନ୍ତ୍ରାଂଶ ଓ ଉପକରଣ ନିର୍ମାଣ ସମ୍ବନ୍ଧରେ ତାଙ୍କ ଗବେଷଣା ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.