ପ୍ରଧାନଶିକ୍ଷକ ପ୍ରଭାକର ପାଣ୍ଡେଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁରାଟ କ୍ଲଷ୍ଟର ଅନ୍ତର୍ଗତ ଗାଡେବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ପାଣ୍ଡେ ଗତ ୩୧ ତାରିଖ ଦିନ ଶିକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିବାରୁ ବୁରାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ତରଫରୁ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା। 

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ ଯୋଗ ଦେଇଥିବା ବେଳେ, ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସୁଢ଼ଳଦେବ ମୁଣ୍ଡ ଏବଂ ସିଆରସିସି ଶ୍ରବଣ କୁମାର ରଥ ଉପସ୍ଥିତ ଥିଲେ। 

ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ବେହେରାଙ୍କ ମନ୍ତ୍ର ପାଠ ସହିତ ଅତିଥିମାନଙ୍କ ଦ୍ୱାରା ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ ଫଟୋଚିତ୍ର ଏବଂ ବିଘ୍ନବିନାଶକ ଗଣେଶଙ୍କୁ ପୂଜା କରାଯାଇଥିଲା। 

ପରେ ସମସ୍ତ ଅତିଥି ପାଣ୍ଡେଙ୍କର ଗୁଣଗାଥା ଓ କାର୍ଯ୍ୟଦକ୍ଷତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ଘଣ୍ଟମାଳ, କେଶପାଲା, ଗୋହିରାପଦର, ଗୁଣପୁର, ଗାଡେବନ୍ଧ ଏବଂ ଶଙ୍କରମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପାଣ୍ଡେଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତମାନଙ୍କୁ ମନେ ପକାଇ ସ୍ମୃତିଚାରଣ କରିଥିଲେ।

ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀଙ୍କ ଦ୍ୱାରା ପାଣ୍ଡେଙ୍କୁ ଉଦ୍ଦେଶ୍ୟ କରି “ମନେପଡ଼େ ପ୍ରଭାକର ପାଣ୍ଡେ” ଶୀର୍ଷକ ଏକ କବିତା ପାଠ କରାଯାଇଥିଲା। ଶେଷରେ, କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ତରଫରୁ ପାଣ୍ଡେଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। 

ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହରି ଅର୍ଜୁନ ସିଂହ ଭାଷାର ମାଧୁର୍ଯ୍ୟ ସହିତ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘଣ୍ଟମାଳ ବିଦ୍ୟାଳୟ ଏବଂ ବୁରାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.