କଳାହାଣ୍ଡିଆ ଲୋକଗୀତରେ ଦେବୀ ମାଣିକେଶ୍ବରୀ : ଏକ ବିହଙ୍ଗାବଲୋକନ 

ସୁନୀଲ କୁମାର ଧଙ୍ଗଡାମାଝୀ 

ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଧାର୍ମିକ ଓ ସାଂସ୍କୃତିକ ଯାତ୍ରାର ରୂପ ନେଇ ଆଧୁନିକ କଳାହାଣ୍ତିର ସଂସ୍କୃତି ସହ ଆଦିମ ସଂସ୍କୃତିର ମହନିୟତା ପ୍ରତିପାଦନ କରୁଛି। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମ‌ପୁର ଓ ଯୁଗସାଇପାଟଣାରେ ପାଳିତ ହେଉଥିବା ବେଳେ ଭବାନୀପାଟଣାର ଯାତ୍ରା ବେଶ୍ ମହତ୍ତ୍ୱ ରଖେ। ଏଥିରେ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲା ତଥା ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଏପରିକି ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।

ଲୋକବିଶ୍ୱାସ ରହିଛି ଯେ, ମା’ ମାଣିକେଶ୍ୱରୀଙ୍କ ପାଖରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଭକ୍ତମାନେ ନିଜ ମାନସିକ ମୁତାବକ ମା’ଙ୍କ ଉଦ୍ଦେଶ୍ୟରେ ବୋଦା, କୁକୁଡ଼ା ଆଦି ବଳି ଦେବା ସହ ପାରା ଉଡ଼ାଇଥାନ୍ତି। ରାଜରାସ୍ତା ହୋଇଥାଏ ରକ୍ତରଞ୍ଜିତ। ହଜାର ହଜାର କଳାକାର ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ, ଲୋକକଳା ଆଦି ପରିବେଷଣ କରିଥାନ୍ତି।

ଅଷ୍ଟମୀ ମଧ୍ୟରାତ୍ରରେ ମା’ଙ୍କ ପ୍ରତୀକ ଛତର ମାଣିକେଶ୍ୱରୀ ମନ୍ଦିର ଗର୍ଭଗୃହରୁ ବାହାରି ସହର ଉପକଣ୍ଠ ଜେନାଖାଲକୁ ଯାଇଥାନ୍ତି। ସନ୍ଧିପୂଜା ପରେ ନବମୀ ପ୍ରତ୍ୟୁଷରୁ ଛତର ମୂଳ ଆସ୍ଥାନ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଛତର ହେଉଛନ୍ତି ମା’ ମାଣିକେଶ୍ୱରୀଙ୍କ ପ୍ରତୀକ। ବେଳ କାଠର ଏକ ଲମ୍ବା ଲାଠିରେ କଳା କପଡ଼ା ଗୁଡ଼ାଯାଇଥାଏ। ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ଏକ ଚାନ୍ଦି ପାତ୍ରକୁ ସେହି ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ। ମା’ଙ୍କ ଏହି ସ୍ବରୂପରେ ପ୍ରାଚୀନ ତନ୍ତ୍ର ପରମ୍ପରାର ପ୍ରଭାବ ଦେଖିବାକୁ ମିଳେ।

ମାଣିକେଶ୍ବରୀ ଓ ଦୂଆରସେନୀ ଉପାସନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଥାଏ ‘ଡମ୍ ବଜା’ ବା ‘ଗଣାବଜା’। ୧୬ ଭର୍ନି ବାଦ୍ୟର ଅପୂର୍ବ ମୁର୍ଚ୍ଚନା ମଧ୍ୟରେ ଦେବାଦେବୀ ମାନଙ୍କୁ ଆବାହନ କରା ଯାଇଥାଏ। ତେବେ ସମୟର ନିଷ୍ଠୁର ତାଡ଼ନା, ପେଟର ଭୋକ ଓ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ କଳାକାର ଗୋଷ୍ଠୀ ଗଣାବଜା ଠାରୁ ଦୁରେଇ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଡମ୍ କଳାକାରମାନଙ୍କୁ ଉଚିତ ପ୍ରୋତ୍ସାହନ ଯୋଗାଇଦେଲେ କଳାହାଣ୍ଡିର ଲୋକଗୀତର ସଂରକ୍ଷଣ କରିହୁଅନ୍ତା।

“କଳାହାଣ୍ଡି ବୀର ମାଟି ଥରିଉଠେ ତନୁ

କେଶରୀ ବାନା ଉଡେ ସବୁଦିନୁ……..

ଲେଲେ ଲେଲେ କେନ୍ଦୁ କସା

ମାନିକେଶରୀ ଭରସା…… 

ମାନିକେଶରୀ ଭରସା…..

ମାନିକେଶରୀ ଭରସା……।।” (ଢାପ୍)

କଳାହାଣ୍ଡି ଜନଜୀବନରେ ଆରାଦ୍ଧ୍ୟା ଦେବୀ ମାଁ ମାନେକଶରୀ/ମାନେଶରୀ/ ମାନିକେଶରୀ ବା ମାଣିକେଶ୍ବରୀ ଏକ ବଳିଷ୍ଠା ଦେବୀର ଆସନ ଗ୍ରହଣ କରିଛନ୍ତି। ପ୍ରାଚୀନ ଲୋକଗୀତ ଲୋକସଂଗୀତ ମାନଙ୍କରେ ଏହି ଦେବୀଙ୍କ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ। ଆଧୁନିକ ଘୁମୁରା ଗୁରୁ ମାନେ ଅତି ସୁନ୍ଦର ପଦ୍ୟାବଳୀ ମାଧ୍ୟମରେ ଦେବୀଙ୍କ ମହିମା ବର୍ଣ୍ଣନାରେ ଶତମୂଖ ହୋଇଛନ୍ତି।

“ଜୟ ଇଷ୍ଟଦେବୀ ଗୋ ମାଣିକେଶ୍ବରୀ

ଅଭିଷ୍ଟ ପୁରାଅ, ଅଭିଷ୍ଟ ପୁରାଅ

ଅଭିଷ୍ଟ ପୁରାଅ କୃପାକରି

ଜୟ ଇଷ୍ଟଦେବୀ ଗୋ ମାଣିକେଶ୍ବରୀ…..।।”

ପୁଣି

“ମା’ ମାଣିକେଶ୍ବରୀକେ ମୁଡିଆ….

ଧାଇଁ ଆସିଛୁ ଯେତେ କଳାହାଣ୍ଡିଆ

ମା’ ମାଣିକେଶ୍ବରୀକେ ମୁଡିଆ….।।”

ଏହି ଦେବୀ ପ୍ରସନ୍ନ ହୋଇ ଭକ୍ତଙ୍କ ଦେହରେ ପ୍ରବେଶ କରି ସଂସାରର ହାରି ଗୁହାରୀ ସୁଣନ୍ତି। ପ୍ରାଚୀନ ପରଂପରା ଅନୁକ୍ରମରେ ଦେବୀଙ୍କ ପାଖରେ ମଦ୍ୟ ଓ ବଳୀ ଅର୍ପଣ କରାଯାଏ। ଅନେକ ଗାଁରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ଭାବେ ପୂଜା ପାଇଥାନ୍ତି। ପ୍ରାଚୀନ ମହାକାନ୍ତାର ସଭ୍ୟତାର ଓ ଏହାର ପରବର୍ତ୍ତି ସମୟ ମାନଙ୍କରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ରୂପରେ ଗାଁ ମାନଙ୍କରେ ପୂଜା ପାଉଥିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ। ଦେବୀ ଥୁଆମୁଲ ରାମପୁର, ଭବାନିପାଟଣା, ଯୁଗସାଏପାଟଣା ସମେତ ଜିଲ୍ଲାର ଅନେକ ସ୍ଥାନରେ ପୂଜା ପାଇଥାନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାତୁଲ ଗାଁରେ ମାଣିକେଶ୍ବରୀଙ୍କ ଏକ ମନ୍ଦିର ରହିଛି। ସେହି ମନ୍ଦିରର କନ୍ଧ ପୂଜକଙ୍କ କହିବା ଅନୁସାରେ ଦେବୀ ମାନେକଶରୀ ତାଙ୍କର ଇଷ୍ଟ ଦେବତା। ପୁରୁଷ ପୁରୁଷ ଧରି ଦେବୀଙ୍କୁ ପାରମ୍ପରିକ ବିଧାନ ଅନୁକ୍ରମେ ପୂଜା କରାଯାଉଛି। ଦେବୀଙ୍କ ପୂଜା ବିଧାନ ଓ ଉତ୍ପତ୍ତି ସଂପର୍କରେ ସେ ଯେଉଁ ତଥ୍ୟ ପ୍ରଦାନ କଲେ ସେଥିରୁ ଦେବୀଙ୍କ ବିଷୟରେ ଅନେକ ଅଜଣା ତଥ୍ୟ ଜାଣିହେଲା। ଦେବୀ ଦୂଆରସୁନୀ ମା ମାଣିକେଶ୍ବରୀଙ୍କ ଦ୍ବାର ଜଗିଥାନ୍ତି। ଦେବୀ ଦୂଆରସୂନୀଙ୍କ ଗାଥାକୁନେଇ ପ୍ରାଚୀନ ଲୋକଗୀତ ଢାପ୍ ମୂଖରିତ ହୋଇଛି।

“ଜୁଆର ଗୋ ମା ବୁଢାରଜା

ପତରେ ପାନେ ପୁଜା 

ତର୍ ନାଁ ଧରି ଗୀତ୍ ଗାଉଚୁଁ

ସଭାରେ ନକର ଲଜା 

ଜୁଆର୍ ମାଁ….

ଆମର୍ ମାଟ ପାଟକେ

ଜୁଆର୍ ମାଁ

କଲା ବୁକା ଦେମିଁ, କଲା ବୁକା ଦେମିଁ

କଲା ବୁକା ଦେମିଁ ଦୁଆର୍ ସୁନୀକେ

ଜୁଆର୍ ମାଁ

ଆମର ମାଟପାଟକେ ଜୁଆର ମାଁ…… ।।”

“ଜୁଆର୍ ଗୋ ମାଁ କୁମେ ଡ଼ଙ୍ଗର

ମାର୍ମି ଏଣିଆ ପୋଢ…

ଜୁଆରଗୋ ମାଁ ବଜରଗଡ

ଫୁଲରେ ବସେ ଭମର

ଜୁଆର….

ଆମର ବଜରଗଡ ଜୁଆର..

ସିରେ ଚଢାଇମୁଁ ମନ୍ଦାରମାଲ

ଜୁଆର ମାଁ

ଆମର ମାଟପାଟକେ ଜୁଆର ମାଁ….

କଲା ବୁକା ଦେମିଁକଲା ବୁକା ଦେମିଁ

ଦୁଆରସେନିକେ

ଜୁଆର ମାଁ

ଆମର ମାଟପାଟକେ ଜୁଆର ମାଁ….।।”

ଦେବୀ ଡୁକରିବୁଡି, ଦୂଆରସୁନୀ, ବୁଡାରଜା, ଡଙ୍ଗର ବୁଡା, ଡହକା, ମାଏଲି, ବୁଡିମା, ବାବୁରା, ଗଙ୍ଗାଦୀ, କଲାପାର୍, ବାରମୁନି, ଦୂଲା, ବଞ୍ଜାରୀ, ଭୈରବ, ଭାଲୁମୁଡେନ, ପାହାଡେନ ବିଭିନ୍ନ ଡ଼ଙ୍ଗର ପର୍ବତ ଦେବତାଙ୍କ ପରି ମାଣିକେଶ୍ବରୀ ବି ଅଭିଚାରତନ୍ତ୍ର ଧାରାର ଏକ ମହାନ ଦେବୀ। ପ୍ରାଚୀନ ମହାକାନ୍ତାର ସଭ୍ୟତା ଓ ଏହାର ପରବର୍ତି ସମୟ ମାନଙ୍କରେ ଦେବୀ ମାନେକଶରୀ ଗ୍ରାମ୍ୟଦେବୀ ରୂପରେ ଗାଁ ମାନଙ୍କରେ ପୂଜା ପାଉଥିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ। ଏହି ଅଞ୍ଚଳର ଅନ୍ୟାନ୍ୟ ଲୋକଗୀତ ପରି ବଜାସାଲ୍ ମଧ୍ୟ ଦେବୀ ମାଣିକେଶ୍ବରୀଙ୍କ ବର୍ଣ୍ଣନାରେ ମୁଖରିତ ହୋଇଥାଏ।

“ଆରେ ଭାଏନିପାଟଣା କାଇସେ ଘଟନା

ଟାଁକି ଚୁଆଁ ତଲେ ପାନି…..

ମାନିକେଶରୀକେ ବଦନି କରିଚେଁରେ ଧନ

ତୁଇ ହେବୁ ମୋର ମନର ରାନି…..

ଆରେ ଧନ କୁଲେ ଧରେନା…

ଖୋଲୋ ଖୋଲୋ ଝୁଲାଏନା

ଖୋଲୋ ଖୋଲୋ ଝୁଲାଏନା

ଆରେ ଧନ କୁଲେ ଧରେନା…..।।”

ଭାଦ୍ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଭବାନୀପାଟଣା ରାଜବାଟି ସ୍ଥିତ ମାଣିକେଶ୍ଵରୀ ଓ ଥୁଆମୂଲ ରାମପୁରର ଦେବୀ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଥାଏ। ତେବେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ମାନେକସରୀ ବା ମାଣିକେଶ୍ଵରୀ ଆସ୍ଥାନ ମାନଙ୍କରେ ନବାନ୍ନ ଲାଗି ହୋଇନଥାଏ। ଗ୍ରାମ ମାନଙ୍କରେ ସାଧାରଣତଃ ଧର୍ନୀ ଦେବୀଙ୍କୁ ନୂଆଧାନ ଅର୍ପଣ ସହ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ଆବାହନ କରାଯାଇଥାଏ। ଏହି ଦେବାଦେବୀଙ୍କ ମଧ୍ୟରେ ମାନେକସରୀ ଥାଆନ୍ତି, କିନ୍ତୁ ତାଙ୍କ ଆସ୍ଥାନରେ ସ୍ବତନ୍ତ୍ର ଭାବେ ନୂଆଖାଇ ଦିନ ଭୋଗଲାଗି ହୋଇନଥାଏ। କଳାହାଣ୍ଡିର ଅନେକ ଲୋକଗୀତ ଏକାସାଙ୍ଗରେ ମାଣିକେଶ୍ବରୀ ଓ ଦୂଆରସେନୀଙ୍କୁ ନେଇ ମୁଖରିତ ହୋଇଛି। ଏହାସହ ଏହି ଦେବୀମାନଙ୍କ ଉପାସନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୁଢ଼ାରଜାଙ୍କ ମହିମା କଳାହାଣ୍ଡିଆ ଲୋକଗୀତର ଛତ୍ରେ ଛତ୍ରେ ପରିଲକ୍ଷିତ ହୋଇଥାଏ।

“ଦୁଆର ଜଗିଚେ ବୁଡି ଦୁଆରସେନୀ

ଭିତରେ ମାନିକେଶରୀ….

କାରୁଣ୍ଡ ମଣ୍ଡଲେ ପୂଜା ପାଉଅଛେ

କାରୁଣ୍ଡ ମଣ୍ଡଲେ ପୂଜା ପାଉଅଛେ….

ତିନି ଭୁବନ ଇଶ୍ବରୀରେ 

ବାଜୁଚେ ଗଣା ବଜା….

ଖଣା ମଲକାଏ

ଖଣା ମଲକାଏ

ଖଣା ମଲକାଏ ବୁଢ଼ାରଜାରେ

ଦେବୀ ପାଉଚେ ପୂଜା…..।।”

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ଗାଁରେ ଦେବୀ ମାଣିକେଶ୍ବରୀଙ୍କ ଏକ ଆସ୍ଥାନ ରହିଛି। ଏଠାରୁ ଅଧ କିମି ଦୂରରେ ଶବରପଡା ଚଞ୍ଚରା ଉପରେ ଦେବୀ ଦୂଆରସୁନୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଦେବଗିରୀ। ଦେବଗିରୀର ଅପରପାଶ୍ବରେ ଅର୍ଜୁନଗାଁରେ ବାରମୁନି ଦେବତା। ବଲବସପୁରରେ ଭୈରବ, ଗୋଖରାରେ ବାବୁରା ବୁଡିମା ମନ୍ଦିର। ରାକ୍ସିରେ ବାଲି ଭୈରବ, ଅଗ୍ନି ଭୈରବ ଓ କଟା ଭୈରବ। ଏସବୁ ଦେବାଦେବୀଙ୍କ ଆସ୍ଥାନ ଓ ଏହି ଅଞ୍ଚଳ ଅସୁରଗଡ ଦୂର୍ଗର ପଶ୍ଚିମ ପାର୍ଶ୍ବ (କଲାପାର ଦେବତା ଅସୁରଗଡର ପଶ୍ଚିମ ଦିଗର ରକ୍ଷାକର୍ତ୍ତା) ରେ ଅବସ୍ଥିତ ତଥା ଅସୁରଗଡ ବେସ୍କା ପ୍ରଗଣା ଅନ୍ତର୍ଗତ ହୋଇଥିବାରୁ ବେଶ ଗୁରୁତ୍ବ ବହନ କରେ। ଦେବଗିରି ବୁଢିପଦର ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଅସୁରଗଡ ଦୁର୍ଗର ପ୍ରତିରକ୍ଷା ଘାଟି ଭାବେ ଖ୍ୟାତ। ସେ ଯାହାହେଉ ଦେବୀ ମାଣିକେଶ୍ବରୀ ଦେବୀ କେବେ ଠାରୁ କଳାହାଣ୍ଡିରେ ପୂଜା ପାଉଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବଳିଷ୍ଠା ଦେବୀ ଆମ ଜନମାନସ ଧାରାରେ ଆମର ପ୍ରିୟ ଆରଦ୍ଧ୍ୟା ଦେବୀ, ଆମର ଗ୍ରାମ ଦେବୀ, ସାରା କଳାହାଣ୍ଡିର ଇଷ୍ଟଦେବୀର ଆସନ ଅଳଂକୃତ କରି କଳାହାଣ୍ଡି ଜନତାଙ୍କ ଉପରେ ଅପାର କରୁଣା ପ୍ରଦାନ କରିଆସୁଛନ୍ତି।

ଆଦିବାସୀ, ଗିରିଜନ ସଂସ୍କୃତି ସହ ଅଙ୍ଗାଙ୍ଗି ଭାବେ ଜଡିତ ଦେବୀ ମାଣିକେଶ୍ବରୀଙ୍କ ବିଷୟରେ ଅଧିକ ଗବେଷଣା ସହ କଳାହାଣ୍ଡିର ପ୍ରାଚୀନ ଧର୍ମବିଶ୍ବାସକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ତଥା ପଶ୍ଚିମ ଓଡିଶାର ଯୁବବର୍ଗ ଓ ଗବେଷକ ମାନେ ଆଗେଇ ଆସିବା ଜରୁରୀ ମନେହୁଏ।ପରିଶେଷରେ ଏତିକି କୁହାଯାଇପାରେ ଯେ, କଳାହାଣ୍ଡିର ବିଭିନ୍ନ ଲୋକଗୀତ ଦେବୀ ମାଣିକେଶ୍ବରୀଙ୍କ ମହିମାକୁ ନେଇ ମୁଖରିତ ହୋଇଛି। ଅନ୍ୟପକ୍ଷରେ ମାଣିକେଶ୍ବରୀ ଆଦି ସଂସ୍କୃତିର ମହାନ ଦେବୀ ଭାବେ ଜନ ମାନସରେ ଏକ ବଳିଷ୍ଠ ଆସନ ଗ୍ରହଣକରି କଳାହାଣ୍ଡିର ଇଷ୍ଟଦେବୀ ଭାବେ ଆରାଧିତ ହୋଇଆସୁଛନ୍ତି।

 ସଂପାଦକ, ଓଡିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.