ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି) ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନୂତନ ଅଡିଟୋରିୟମ ଠାରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବାଲେଶ୍ଵର ଜିଲାର ବରିଷ୍ଠ ନାଗରିକ ମଂଚର ଉପଦେଷ୍ଟା ଅନ୍ତର୍ଯ୍ୟାମୀ ନାୟକ ପୌରୋହିତ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜନ କରା ଯାଇଥିଲା ବେଳେ ‘ବରିଷ୍ଠ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ଦିବସ ପାଳନ ଅବସରରେ ଏକ ମନୋଜ୍ଞ ଯୋଗ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଶୁଭ ଉଦଘାଟନ କରିଥିଲେ। ପରେ ପରେ ବରିଷ୍ଠ ନାଗରିକମାନଙ୍କ ଡାକ୍ତରୀ ପରୀକ୍ଷା କରା ଯାଇଥିଲା।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ନୂତନ ଅଡିଟୋରିୟମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ସହ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ମୁଖ୍ୟ ବକ୍ତା ଭାବେ ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା ସମେତ ସମସ୍ତ ଅତିଥି ଗଣ ଜଗନ୍ନାଥଙ୍କ ନିକଟରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା ଅତିଥି ପରିଚୟ, ସ୍ଵାଗତ ସମ୍ବର୍ଦ୍ଧନା ଏବଂ ଏହି ଦିବସ ପାଳନ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଣିତ ଆଇନ,ଯୋଜନା ସହିତ ସେମାନଙ୍କ ଜ୍ଞାନ,ଅଭିଜ୍ଞତା ପଥ ପ୍ରଦର୍ଶନ ଆମ ପାଇଁ ଉତ୍ସ ଏବଂ ସେମାନଙ୍କୁ ସ୍ନେହ ପ୍ରେମ ଶ୍ରଦ୍ଧା ସେବା ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବାଲେଶ୍ଵର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ଉପଦେଷ୍ଟା ଅନ୍ତର୍ଯ୍ୟାମୀ ନାୟକ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବରିଷ୍ଠ ନାଗରିକ ଆଇନ-୨୦୧୬ ଅନୁଯାୟୀ ସରକାରୀ ସହାୟତା, ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟାରେ ସମ୍ମୁଖୀନ ହେବା, ଘରୋଇ ହିଂସା ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହିତ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ପରିଚୟ ପତ୍ର, ସାମାଜିକ ସମ୍ମାନ, ନ୍ୟାୟ, ଚିକିତ୍ସାଳୟ ରେ ସ୍ଵତନ୍ତ୍ର ବ୍ୟବସ୍ଥା,ଯାତ୍ରା(ବସ, ରେଳ ଭଡା) ରିହାତି, ବରିଷ୍ଠଙ୍କ ଆଶ୍ରୟ ସ୍ଥଳ ନିର୍ମାଣ ଦାବୀ ଉପସ୍ଥାପନ କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବାଲେଶ୍ଵର ସଦର ଉପଜିଲ୍ଲାପାଳ ଶିବ ମାଲବ୍ୟ ବରିଷ୍ଠଙ୍କ ନିମନ୍ତେ ସମସ୍ତ ସାହାଯ୍ୟ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଯୋଗ ଦେଇ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନାରେ ପ୍ରଶାସନ ସହଯୋଗ ସଦୃଶ ପରିଚୟ ପତ୍ର, ସାମାଜିକ ସୁରକ୍ଷା ଯୋଗାଇ ଦେବା, ଗୃହ ନିର୍ମାଣ ପାଇଁ ଜମି ଆଦି ପଦକ୍ଷେପ ଗ୍ରହଣ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା ବରିଷ୍ଠ ନାଗରିକମାନଙ୍କ ଜୀବନ ଶୈଳୀରେ ସୁଧାର ଆଣିବା ସହିତ ସାମାଜିକ ସମ୍ମାନ, ନ୍ୟାୟ ଶ୍ରଦ୍ଧା ସେବା, ଯୋଗର ଆବଶ୍ୟକତା ସଂପର୍କ, ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ବରିଷ୍ଠ ନାଗରିକ ମଂଚର ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ସୁଧାକର ନାୟକ, ସଦର ଉପଜିଲ୍ଲାପାଳ ଶିବ ମାଲବ୍ୟ, ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ କର, ବରିଷ୍ଠ ନାଗରିକ ମଂଚର ଉପଦେଷ୍ଟା ଅନ୍ତର୍ଯ୍ୟାମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ବରିଷ୍ଠ ନାଗରିକ ମଂଚର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନନ୍ଦ, ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଏଥି ସହିତ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଏବଂ ପାରଦର୍ଶିତା ହାସଲ ପାଇଁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।