ଦେବହୁତି କରଙ୍କ “ଓଡ଼ିଶାର ସାଧବ କାହାଣୀ” ଓ ଉମାଶଙ୍କର କରଙ୍କ “ପଶ୍ଚିମାଞ୍ଚଳର ଲୋକକଥା” ପୁସ୍ତକ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶିଷ୍ଟ ଗାଳ୍ପିକା ତଥା ଲୋକ ସାହିତ୍ୟ ଗବେଷିକା ଦେବହୁତି କରଙ୍କ “ଓଡ଼ିଶାର ସାଧବ କାହାଣୀ” ଓ ଗବେଷକ ଉମା ଶଙ୍କର କରଙ୍କ “ପଶ୍ଚିମାଞ୍ଚଳର ଲୋକକଥା” ପୁସ୍ତକ ଲୋକାର୍ପିତ ହୋଇଛି। ଉଭୟ ପୁସ୍ତକ ଲୋକସାହିତ୍ୟ ଆଧାରିତ।

ଦେବହୁତି କରଙ୍କ ରଚିତ ଓ ସାଥୀ ବୁକ୍ସ ଦ୍ଵାରା ପ୍ରକାଶିତ ୩୨୮ ପୃଷ୍ଠାର “ଓଡ଼ିଶାର ସାଧବ କାହାଣୀ” ପୁସ୍ତକରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ୩୫ଟି ସାଧବ ଘର କାହାଣୀ ସ୍ଥାନିତ ହୋଇଛି।

ଏହା ଲେଖିକାଙ୍କ ୩୬ତମ ପ୍ରକାଶିତ ପୁସ୍ତକ। ନିରୋଳା ସାଧବ କାହାଣୀମାନଙ୍କୁ ନେଇ ଏହା ଓଡ଼ିଶାର ପ୍ରଥମ ଓ ଅନନ୍ୟ ପ୍ରୟାସ ବୋଲି ଗବେଷକ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ସେହିପରି ଗବେଷକ ଓ କଥାକାର ଉମାଶଙ୍କର କରଙ୍କ ରଚିତ ଓ ନବଦିଗନ୍ତ ପ୍ରକାଶନୀ ଦ୍ଵାରା ପ୍ରକାଶିତ “ପଶ୍ଚିମାଞ୍ଚଳର ଲୋକକଥା” ପୁସ୍ତକରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ବହୁ ପ୍ରଚଳିତ ୮ଟି ଜନଜାତିଙ୍କ ମୌଖିକ ପୁରାଣ, ୨୧ଟି କିମ୍ବଦନ୍ତୀ ଓ ୧୭ଟି ଲୋକ କଥାନୀ ବିଶ୍ଳେଷଣ ସହ ରହିଛି।

ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କର୍ମଶାଳା ଅବସରରେ ୨୫ ତାରିଖ ସନ୍ଧ୍ୟାରେ ବିଶିଷ୍ଟ ଲେଖକ, ଗବେଷକ ଓ ସମାଲୋଚକ ଡ. ଗିରିବାଳା ମହାନ୍ତି, ଡ. କଇଳାଶ ପଟ୍ଟନାୟକ, ଡ. ବିଜୟ କୁମାର ଶତପଥୀ, ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ଡା. ଦୀନବନ୍ଧୁ ସାହୁ , ଡ. ପଲ୍ଲିଶ୍ରୀ ପଟ୍ଟନାୟକ ଓ ଡ. ଜୟଦେବ ସାହୁଙ୍କ ଦ୍ଵାରା ଏହି ଦୁଇଟି ଲୋକସାହିତ୍ୟ ଭିତ୍ତିକ ପୁସ୍ତକ ଲୋକାର୍ପିତ ହୋଇଥିଲା।

ଏହି ଦୁଇ ପୁସ୍ତକ ଓଡ଼ିଶାର ଲୋକସାହିତ୍ୟକୁ ସମୃଦ୍ଧ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.