ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ରାଜ୍ୟ ମହାସଂଘର ଡାକରା କ୍ରମେ କଲାବ୍ୟାଜ ପିନ୍ଧି ୧୩ ଦଫା ଦାବି ନେଇ ସପ୍ତାହ ବ୍ୟାପି ଶାନ୍ତିପୂର୍ଣ୍ଣ ଭିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ୨୬ ନଭେମ୍ବରରେ ମହାସଙ୍ଘର ଡାକରା କ୍ରମେ ବିଦ୍ୟାଳୟ ଛୁଟି ପରେ ୪ଟାରୁ ୫ଟା ପର୍ଯ୍ୟନ୍ତ ବ୍ୟାନର ଓ ନିଜର ଦାବିପତ୍ର ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଓଡିଶା ସରକାରଙ୍କ ଦ୍ୱାରା ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ପ୍ରତିଷ୍ଠା କରାଗଲା ତଥାପି ଆଜି ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟକୁ ସମ୍ପୂର୍ଣ ରୂପେ ସରକାରୀ ମାନ୍ୟତା ମିଳିନାହିଁ ଏବଂ କର୍ମଚାରୀ ମାନେ ମଧ୍ୟ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ଭାବେ ନିଜର କାର୍ଯ୍ୟ ସମ୍ପାଦନା କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରାଜ୍ୟ ମହାସଂଘର ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଭିକ୍ଷୋଭ ପ୍ରଦର୍ଶନ ଚାଲିଛି। ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆଗାମୀ ଡିସେମ୍ବର ୦୮ରୁ ଆମରଣ ଅନଶନ କରାଯିବା ପାଇଁ ରାଜ୍ୟ ସଙ୍ଘ ନିର୍ଦ୍ଧାରଣ କରିଛି ବୋଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଛନ୍ତି।





