ଲାଞ୍ଜିଗଡ଼ ବ୍ଲକ୍ ସ୍ତରୀୟ ‘ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ–୨୦୨୫’ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଶ୍ୱନାଥପୁର ପରିସରରେ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ–୨୦୨୫ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ୨୩୨ଟି ନବୋନ୍ମେଷୀ ବୈଜ୍ଞାନିକ ପ୍ରକଳ୍ପ ସହିତ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବଂ ୧୦୦ ଶିକ୍ଷକ, ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ୧୩ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସକ୍ରିୟ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ନାମାଙ୍କନ ସହ ଆରମ୍ଭ ହୋଇ, ପରେ ଆୟୋଜକମଣ୍ଡଳୀଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ପ୍ରଦୀପ ପ୍ରଜ୍ୱଳନ, ଯୋଡ଼ାବନ୍ଧ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ସ୍ୱାଗତ ନୃତ୍ୟ ଓ ସ୍ବାଗତ ସଙ୍ଗୀତ ମାଧ୍ୟମରେ ଉଦ୍‌ଘାଟନୀ ସମାରୋହ ସୁସଜ୍ଜିତ ହେଇଥିଲା।

ପ୍ରଦର୍ଶନୀର ଅଧକ୍ଷ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିସ ଅନିମେଶ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢ଼ଳଦେବ ମୁଣ୍ଡ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଳିକ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ନିଜ ଉଦ୍‌ବୋଧନରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ବୈଜ୍ଞାନିକ ଚିନ୍ତାଧାରା, ଉତ୍ସୁକତା ଓ ଆବିଷ୍କାରମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ଏହିପରି ପ୍ରଦର୍ଶନୀ ତରୁଣ ପିଢ଼ିଙ୍କ ସୃଜନଶୀଳତା ଓ ସମାଲୋଚନାତ୍ମକ ଚିନ୍ତାକୁ ସଶକ୍ତ କରିବ ବୋଲି ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟନୀ ଅଧିବେଶନର ଶେଷରେ ଗୋଷ୍ଠୀ ସାଧନ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।

ପରେପରେ ଅତିଥି ତଥା ବିଚାରକମାନେ ବିଭିନ୍ନ ବିଜ୍ଞାନ ମଡେଲ୍ ଦେଖି ମୂଲ୍ୟାୟନ କରିଥିଲେ। ବିଚାରକ ମଣ୍ଡଳୀରେ ବୁଦେଲଗୁମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁବେର ନାଏକ, ତୁଳାପଡା ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଉପେନ୍ଦ୍ର କୁମାର ସୁନାନୀ, ନିଶାନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନ, ଭୀମକେଲା ଉଚ୍ଚ ବିଦ୍ୟାଳୟର ରାଜୀବ କୁମାର ଦାଶ, ତୁର୍ଯୁଙ୍ଗ ଉଚ୍ଚ ବିଦ୍ୟାଳୟର ଦିବାକର ସାହୁ, ଅଲାତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଶୋକ କୁମାର ବିଶ୍ୱାଳ ରହିଥିଲେ। ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିବା ମଡେଲ୍‌ଗୁଡ଼ିକ ‘ପ୍ରଯୁକ୍ତି’, ‘ନବୀକରଣଯୋଗ୍ୟ ଶକ୍ତି’, ‘କୃଷି’, ‘ପରିବେଶ ସୁରକ୍ଷା’ ଏବଂ ‘ଗୋଷ୍ଠୀଗତ ସମସ୍ୟା ଓ ସମାଧାନ’ ଭଳି ପ୍ରସଙ୍ଗ ଆଧାରିତ ଥିଲା।

ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ବ୍ଲକ୍ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନି ମାଝୀ , କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ବିଜ୍ଞାନର ଉପାଦେୟତା ବିଷୟରେ କହିଥିଲେ।

ଗୋଷ୍ଠୀ ଶିକ୍ଷା ପରିବାର ତରଫରୁ ଅତିଥିମାନଙ୍କୁ ସ୍ବାଗତ କରାଯାଇ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହଭାଗୀତାକୁ ସମ୍ମାନିତ କରାଗଲା। ମୁଖ୍ୟ ଅତିଥି ଓ ବିଶେଷ ଅତିଥି ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଉତ୍ସାହକୁ ପ୍ରଶଂସା କରିଥିଲେ। ଉଦଯାପନୀ ସଭାର ମୁଖ୍ୟ ଆକର୍ଷଣ ଥିଲା ପୁରସ୍କାର ଓ ସମ୍ମାନ ପ୍ରଦାନ, ଯେଉଁଠାରେ ଶ୍ରେଷ୍ଠ ମଡେଲ୍ ପ୍ରଦର୍ଶନ କରିଥିବା ୧୭ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ସମ୍ମାନିତ କରାଯାଇଥିଲା।

ଗୋଷ୍ଠୀ ବିଜ୍ଞାନ ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର ଏବଂ ପରିଚାଳନା କମିଟି ସଦସ୍ୟ ତରୁଣ କୁମାର ସାହୁ, ବିଶିକେଶନ୍ ସୁନା, ପ୍ରମୋଦ ଦାସ , କୁମାର ଗୌରବ ପରିଡ଼ା, ସୌଭାଗ୍ୟ ରଞ୍ଜନ ସାହୁ ଏବଂ ସମସ୍ତ ଆଞ୍ଚଳିକ ସାଧନ କର୍ମୀ, ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ତତ୍ତ୍ଵାବଧାନରେ ପରିଚାଳନା ହେଇଥିଲା। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ। ଏହି ଅବସରରେ ପ୍ରେସ କ୍ଲବ ଲାଞ୍ଜିଗଡ଼ ଦ୍ଵାରା ରକ୍ତଦାନ ଶିବିରରେ ଶିକ୍ଷକ ହିମାଂଶୁ ଶେଖର ମେହେର, ଦୁର୍ବାଦଳ ପଟେଲ, ସୁରେଶ କୁମାର ମହାରଣା ଓ ସୁଶାନ୍ତ କୁମାର ବାରିକ ରକ୍ତଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.