ସମସ୍ତ ବିଧାୟକ, ମନ୍ତ୍ରୀ ଓ ପ୍ରଶାସନଙ୍କୁ ସଂଘର ନେତୃମଣ୍ଡଳୀଙ୍କର ଦ୍ବାରା ଦାବିପତ୍ର ପ୍ରଦାନ ପରେ ବି ମିଳିଲାନି ନ୍ୟାୟ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ୧୦ ଠାରୁ ୪ ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରିବା ସହିତ ଅପରାହ୍ନ ୪ ଟା ପରେ ସେମାନଙ୍କ ଦିର୍ଘ ଦିନରୁ ରହି ଆସିଥିବା ବିଭିନ୍ନ ଦାବୀ ନେଇ ରାଜ୍ୟ ସଂଘ ଡାକରାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଘର ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ୮୦ ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ବିଧାନସଭାରେ ଏହି ସମସ୍ଯା ଗୁଡିକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି, ହେଲେ ଆନ୍ଦୋଳନକୁ ୫ ଦିନ ବିତି ଯାଇଥିଲେ ବି ଉପରିସ୍ଥ ଅଧିକାରୀ ଏବଂ ସରକାରଙ୍କ ନିଦ ଭାଙ୍ଗୁନି, ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷଙ୍କ ସ୍ବର ଆଜି ଗୋଟିଏ ସ୍ବର ପାଲଟିଛି, “ଆମର ଦାବି ସରକାର ମାନି ନିଅନ୍ତୁ”। ସୂଚନା ଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦୀର୍ଘ ୧୦ ବର୍ଷ ହେଲା ଆରମ୍ଭ ହେଲାଣି। ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ସିବିଏସଇ ବୋର୍ଡ ପରୀକ୍ଷାରେ ବିଗତ ବର୍ଷରେ ଭଲ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଟପ୍ ରାଙ୍କରେ ମଧ୍ୟ ସ୍ଥାନ ପାଇ ଆସୁଅଛନ୍ତି । ଜେଇଇ/ନିଟ ଭଳି ପରୀକ୍ଷାରେ ମଧ୍ୟ ବେଶ ସଫଳତା ହାସଲ କରୁଛନ୍ତି ଏହି ସଫଳତାକୁ ନେଇ ରାଜ୍ୟ ସରକାର ରାଜ୍ୟ ବାହାରେ ଆଦର୍ଶ ବିଦ୍ୟାଳୟର ଗାରିମାକୁ ନେଇ ଡିମଡିମ ପିଟୁଛନ୍ତି। ମାତ୍ର ଦୀପତଳ ଅନ୍ଧାର ପରି ବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ନିଯୁକ୍ତ ଅଛନ୍ତି ସେମାନଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଆଜି ଘୋର ସଙ୍କଟରେ , ଆମେ ସରକରୀ କର୍ମଚାରୀ ନୁହଁ , ଆମ ବିଦ୍ୟାଳୟ ର ପିଲା ମାନେ ଛାତ୍ରବୃତ୍ତି ପରିକ୍ଷାରୁ ବଞ୍ଚିତ ହେଉଛନ୍ତି , ଶିକ୍ଷକ ମାନଙ୍କର ଚାକିରୀରେ ସର୍ତ୍ତାବଳୀ (କ୍ଯାଡ ରୁଲ) ନାହିଁ, ଏବେ ଯାଏ ୨୪ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇସାରିଲାଣି, ଆଜି ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି , ସରକରଙ୍କ ତରଫରୁ କାଣୀ କଉଡି ଟିଏ ବି ପାଇଲେ ନାହିଁ , ସମାନ କାମକୁ ସମାନ ଦରମା ଭଳି ଅନେକ ସମସ୍ଯା ଭିତରେ ଘାଣ୍ଟି ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ସରକାରଙ୍କର ଏଭଳି ବୈମାତୃକ ମନୋଭାବ କାହିଁକି ? , ବିଦ୍ୟାଳୟ ର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ସରକାରୀ ଚାକିରି ଛାଡି ଏହି ସଂଗଠନ ରେ ନିଯୋଜିତ ହୋଇଥିବା ବେଳେ ସରକାର ଙ୍କର ଏହିପରି ଅବହେଳା କୁ ମନକୁ ନିରାଶ କରିଛି। ବର୍ତ୍ତମାନ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆବେଦନ କରିବାକୁ ପଛଘୁଞ୍ଚା ଦେଇଛନ୍ତି। ଦୀର୍ଘ ୧୦ ବର୍ଷ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଦାବିପତ୍ର ମାଧ୍ୟମରେ ବାରମ୍ବାର ନିଜର ଅସୁବିଧା ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରକଳ୍ପ ଅଧିକାରୀ, ଉପରିସ୍ଥ ଅଧିକାରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ, ସମସ୍ତ ଜନ ପ୍ରତିନିଧି (ଏମ୍.ଏଲ.ଏ, ଏମ୍.ପି.) ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଛନ୍ତି, ମାତ୍ର ସମସ୍ତ ଉଦ୍ୟମ ବିଫଳ ହୋଇଅଛି ।ଯାହା ଫଳରେ ଶିକ୍ଷକ ସମାଜରେ ଆନ୍ଦୋଳନର ମୁଣ୍ଡ ଟେକିଛି । ଏପରି ଅନିଶ୍ଚିତତା ଭିତରେ ଅନେକ ଶିକ୍ଷକ-ଶିକ୍ଷୟତ୍ରୀ ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଛାଡି ଅନ୍ୟତ୍ର ଚାକିରୀ କରିବାକୁ ଚାଲିଯାଉଛନ୍ତି । ତଥାପି ରାଜ୍ୟ ସରକାରଙ୍କ ଚେତା ପଶିନାହିଁ । ରାଜ୍ୟ ସରକାରଙ୍କ ଏହି ପରି ମନୋଭାବ ଆଦର୍ଶ ବିଦ୍ୟାଳୟର ଉନ୍ନତି ଦିଗରେ ବିରାଟ ବାଧା ସୃଷ୍ଟି କରିପାରେ ଏଥିରେ ସନ୍ଦେହ ନାହିଁ , ଏବେବି ସମୟ ଅଛି ସରକାର ଆମ ଦାବି ମାନି ନିଅନ୍ତୁ ନହେଲେ ଡିସେମ୍ବର ୮ ରେ ରାଜ ରାସ୍ତା କୁ ଓହ୍ଲେଇବ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ, ପରିଣତି ଯାହା ହେବ ସେଥିପ୍ରତି ସରକାର ଦାଈ ରହିବେ ବୋଲି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ସୁଭାଶିଷ ଦାସ ମତ ପ୍ରକାଶ କରିଛନ୍ତି।ଉଲ୍ଲିଖିତ ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ପାଇଁ ସଂଘ ର ଦାବି । ୧୩ ଦଫାର ଦାବୀ ଗୁଡିକ ୧-ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ଏଚଆରଏମଏସ ଏଚଡି ମାଧ୍ୟମରେ ଦରମା ଦେବା ଏବଂ ବିଦ୍ୟଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ହାଇ ସ୍କୁଲ ଶିକ୍ଷକଙ୍କ ପରି ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା,୨-ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ୩-ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକ ଟି ଆଦର୍ଶ ବିଦ୍ୟଳୟ ରେ ଓଡ଼ିଆ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,୫-ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା, ୬-ପ୍ରତ୍ୟେକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,୭-ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା,୮-ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,୯-ଜୁନିୟର କ୍ଲାର୍କ କର୍ମଚାରୀଙ୍କ ଚାକିରି ରେ ନିୟମିତ କରିବା,୧୦-ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବା, ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ଛାତ୍ର ଛାତ୍ରୀ ଭଳି ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ, ୧୧-ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା,୧୨-ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା,୧୩-ପିଏମ୍ ଶ୍ରୀ ସ୍କୁଲ ରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷା ର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।





