ବାଲେଶ୍ୱର କୋଶମ୍ବ ମେଳାରେ ଆରମ୍ଭ ହେଲା ପୁସ୍ତକ ପ୍ରେମୀଙ୍କ ପାଇଁ ‘ବୁକ୍ କାଫେ’ ଓ ‘ପୁସ୍ତକ ଦାନ’

ଲେଖକଙ୍କ ସମାଗମ ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗତକାଲି ଠାରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ କୋଶମ୍ବ ମେଳା ଉଦଘାଟିତ ହୋଇଥିବା ବେଳେ ଦର୍ଶକ ଓ ପୁସ୍ତକ ପ୍ରେମୀଙ୍କ ପାଇଁ ମେଳା ପରିସରରେ ଆରମ୍ଭ ହୋଇଥିବା ‘ବୁକ୍ କାଫେ’ ଓ ‘ପୁସ୍ତକ ଦାନ’ ବ୍ୟବସ୍ଥା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସାଧାରଣ ଦର୍ଶକଙ୍କ ଭିଡ଼ ଭିତରୁ ଏହି ବୁକ୍ କାଫେ ଅନେକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏଠାରେ ବହି ପଢିବା ପାଇଁ ସ୍ଵତନ୍ତ୍ର ଆୟୋଜନ କରାଯାଇଥିବାରୁ ଯୁବପିଢି ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି।

ଏହି ବୁକ୍ କାଫେ ବା ପୁସ୍ତକ ପ୍ରଦର୍ଶନୀ କେନ୍ଦ୍ରରେ ବାଲେଶ୍ଵର ସହରର ଦୁଇଟି ପ୍ରକାଶନ ସଂସ୍ଥା ସେମାନଙ୍କ ଦ୍ଵାରା ପ୍ରକାଶିତ ବିଭିନ୍ନ ରୁଚିର ପୁସ୍ତକମାନ ପ୍ରଦର୍ଶନ କରିଥିବା ବେଳେ ପୁସ୍ତକ ବିକ୍ରୟ ଏବଂ ଆଗ୍ରହୀ ପାଠକ ବହି ସେଠାରୁ ଆଣି ମାଗଣାରେ ପଢି ଫେରାଇବାର ସୁବିଧା ମଧ୍ୟ ଦେଉଥିବା କଥା ସୁବର୍ଣ୍ଣଶ୍ରୀ ପ୍ରକାଶନୀର ସତ୍ଵାଧିକାରୀ ଡକ୍ଟର କାଳିପଦ ପଣ୍ଡା ଏବଂ ‘ବିଦ୍ୟା ଭାରତୀ’ର ପ୍ରତିଷ୍ଠାତା କବି ଅଭୟ ଦାସ ପ୍ରକାଶ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ବହିକୁ ନେଇ ଆଗ୍ରହ ବୃଦ୍ଧି ଏବଂ ପଢିବା ଅଭ୍ୟାସକୁ ପୁନରୁଜ୍ଜୀବିତ କରିବା ଏହି ‘ବୁକ୍ କାଫେ’ର ଉଦ୍ଦେଶ୍ୟ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି କୋଶମ୍ବ ମେଳା ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ‘ବୁକ୍ କାଫେ’ରେ ସାହିତ୍ୟିକଙ୍କ ସମାଗମ ହେବା ସହିତ ବିଭିନ୍ନ ଦିନରେ କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବୁକ୍ କାଫେ ଷ୍ଟଲ ପାଖରେ ପୁସ୍ତକ ଦାନ (Donate Books) ପାଇଁ ଏକ ବାକ୍ସ ରଖାଯାଇଛି। ଏଥିରେ ବହି ଦାନ ଆକାରରେ ଦେବାକୁ ଚାହୁଁଥିବା ଲେଖକଲେଖିକାମାନେ ବାକ୍ସରେ ବହି ପକେଇ ପାରିବେ। ଏହି ସଂଗୃହିତ ବହିଗୁଡିକୁ ବିଭିନ୍ନ ପାଠାଗାରରେ ରଖାଯିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବେ ବୋଲି କହିଛନ୍ତି।

ଗତକାଲି ଉଦଘାଟନ ଦିବସ ଅବସରରେ ‘ବୁକ୍ କାଫେ’କୁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପରିଦର୍ଶନ କରିବା ସହିତ ବିଶିଷ୍ଟ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଗାଳ୍ପିକ ଉଦୟ ନାରାୟଣ ଦାସ, କବି କୃଷ୍ଣ କୁମାର ମହାନ୍ତି, କବି ଡକ୍ଟର କାଳିପଦ ପଣ୍ଡା, କବି ଅଭୟ ଦାସ, ମଞ୍ଜୁଲତା ବଳ, ଆଶ୍ରିତା ତରେଇ ପ୍ରମୁଖ ଉପସ୍ଥିତ ରହି ବହି ଚର୍ଚ୍ଚା କରିଥିଲେ।

ଏହି ବୁକ୍ କାଫେ ଦିନ ୧୦ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଖୋଲା ରହୁଥିବା ବେଳେ ଲେଖକ, ପାଠକ ଏହି ଅଭିଯାନରେ ସାମିଲ୍ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.