ସ୍ମାରକୀ ଜାତୀୟ ନାଟକ ମହୋତ୍ସବ-୨୦୨୫ର ଦ୍ଵିତୀୟ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ “ଫେର୍ ସେ ଶ୍ରବଣ”

ନାଟ୍ୟ ପ୍ରେମୀଙ୍କ ଭିଡ଼ ଏବଂ କରତାଳିର ବର୍ଷାରେ ଭିଜିଲେ କଳାକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଜିକାର ଦ୍ଵିତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭାସ ଚନ୍ଦ୍ର ମିଶ୍ର, ଉପ କୁଳପତି, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ମେଜର ଡ. ଜୟଦେବ ସାହୁ, ବରିଷ୍ଠ ଅଭିନେତା ଅଶୋକ କୁମାର ପାତ୍ର, ପୂର୍ବତନ ବିଧାୟକ ଅନାମ ନାଏକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ।

ଆଜିର ଦ୍ଵିତୀୟ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ନାଟକ “ଫେର୍ ସେ ଶ୍ରବଣ”। ଫେର୍ ସେ ଶ୍ରବଣ ଏକ ଚିନ୍ତାପ୍ରବଣ ନାଟକ ଯାହା ବୃଦ୍ଧାବସ୍ଥାରେ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟର ଆଧୁନିକ, ଭୌତିକବାଦୀ ବୁଝାମଣା ଉପରେ ପ୍ରଶ୍ନ ଉଠାଏ। ଆଜିର ଏ ଦୌଡ଼ରେ ପିଲାମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଦାୟିତ୍ୱ ଆର୍ଥିକ ସହାୟତା, ଉପହାର କିମ୍ବା ସେମାନଙ୍କ ପିତାମାତାଙ୍କୁ ଯାତ୍ରାରେ ନେଇଯିବା ପର୍ଯ୍ୟନ୍ତ ଶେଷ ହୁଏ। ଭାବପ୍ରବଣ ଉପସ୍ଥିତି, ସମୟ ଏବଂ ପ୍ରକୃତ ଯତ୍ନ ଧୀରେ ଧୀରେ ସେମାନଙ୍କର ପ୍ରାଥମିକତାରୁ ଉଭାନ ହୋଇଯାଏ।

ନାଟକଟି ବୃଦ୍ଧ ପିତାମାତାଙ୍କ ନୀରବ ଯନ୍ତ୍ରଣାକୁ ଉଜାଗର କରେ ଯେଉଁମାନେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ସେମାନଙ୍କର ସମଗ୍ର ଜୀବନକୁ ବଳିଦାନ ଦେଇଛନ୍ତି – ଫେରିବାର ଆଶା ନକରି ସାନ୍ତ୍ୱନା, ସ୍ୱପ୍ନ ଏବଂ ବ୍ୟକ୍ତିଗତ ଖୁସି ତ୍ୟାଗ କରନ୍ତି। ଯେତେବେଳେ ଏହି ପିତାମାତାମାନେ ସେମାନଙ୍କ ଜୀବନର ଅପରାହ୍ନରେ ପହଞ୍ଚନ୍ତି, ସେମାନେ ବିଳାସ କିମ୍ବା ଟଙ୍କା ଖୋଜନ୍ତି ନାହିଁ, ବରଂ ମର୍ଯ୍ୟାଦା, ସ୍ନେହ ଏବଂ ସହଚର୍ଯ୍ୟ ଖୋଜନ୍ତି।

ଏହି ନାଟକ ଦୃଢ଼ ଭାବରେ ଦାବି କରେ ଯେ ପିତାମାତାଙ୍କ ଯତ୍ନ ସମାଜ ଦ୍ୱାରା ଲାଗୁ କରାଯାଇଥିବା ଏକ ବାଧ୍ୟବାଧକତା ନୁହେଁ, ନା ଦାନ କିମ୍ବା ଦାୟିତ୍ୱର କାର୍ଯ୍ୟ – ଏହା ସେମାନଙ୍କର ଅଧିକାର। ଏହି ଜ୍ୟାମିତିକୁ ନେଇ ଗତିଶୀଳ ହେଇଛି ନାଟକ “ଫେର୍ ସେ ଶ୍ରବଣ”।

ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁର ଦ୍ଵାରା ପରିବେଷିତ ଏହି ସମ୍ବଲପୁରୀ ନାଟକକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଡ. ଅତିଶ କୁମାର ଶତପଥୀ। ଏଥିରେ ନରେନ୍ଦ୍ର ବେହେରା, ପଙ୍କଜିନୀ ମେହେର, ସୁମିତ୍ରା ମହାକୁର, ରାହୁଲ ଗୁପ୍ତା, ସାହିଲ ନାୟକ, ଗଗନ, ସୀମା ଏବଂ ଡ଼. ଅତୀଶ କୁମାର ଶତପଥି ଅଭିନୟ କରିଥିବାବେଳେ ଆଲୋକ ସଞ୍ଚାଳନ କରିଥିଲେ ପ୍ଲାବନ ମିଶ୍ର।

ସଂଗୀତରେ ସହାୟତା କରିଥିଲେ ଗିରିଜା ଶଙ୍କର ମିଶ୍ର, ରମାଶିଷ ତ୍ରିପାଠୀ, ସଂକେତ ପୁରୋହିତ ଓ ସାହିଲ ନାୟକ ଏବଂ ମଞ୍ଚସଜ୍ଜା କରିଥିଲେ ହିମାଂଶୁ ପ୍ରଧାନ ଓ ରାହୁଲ ଗୁପ୍ତା। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ୍ ହଲରେ ଦର୍ଶକଙ୍କ ଭିଡ ଏବଂ କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା।

ଆଜିର କାର୍ଯ୍ୟକ୍ରମରେ ଆକାଶବାଣୀ ଉପସ୍ଥାପକ ଆଲୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ଅବିନାଶ ଅଗସ୍ତି, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ଶୁଭମ ବେହେରା, ଶିବଶକ୍ତି ପୁରୋହିତ, ଦୀପ୍ତିମୟୀ ସିଂ, ଅମରେନ୍ଦ୍ର ମହାନ୍ତି, ଆର୍ୟା ନାୟକ, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ଲିପ୍ସାରାଣୀ ବାରିକ, ଅନିଲ ବୈଠାରୁ, ସୁଶୀଲ ଆଚାର୍ଯ୍ୟ, ଗୋପିଧର ନାୟର, ରାଜେଶ ଦାଶ, ହେମନ୍ତ ଦଣ୍ଡସେନା ପ୍ରମୁଖ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.