ଲାଞ୍ଜିଗଡ଼ର ବିଭିନ୍ନ ଅଞ୍ଚଳରେ ହିଂସ୍ର ହେଉଛନ୍ତି ବୁଲା କୁକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି। ଅନେକ ଲୋକଙ୍କୁ କାମୁଡ଼ିଲେଣି। ଫଳରେ ଲୋକେ ବୁଲା କୁକୁରକୁ ଦେଖିଲେ ଭୟ କରୁଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେଇ ବୁଲାକୁକୁର ଧରା ଅଭିଯାନ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ଗୋଟିଏ କୁକୁର ବର୍ଷକୁ ଥରକରେ ୫/୬ ଲେଖାଏଁ ଛୁଆ ଜନ୍ମ କରେ। ତେଣୁ ପ୍ରତିବର୍ଷ କୁକୁର ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଲାଞ୍ଜିଗଡ଼ ଅଞ୍ଚଳର ଗାଁଗହଳି, ରାଜରାସ୍ତା, ବିଭିନ୍ନ ଛକ, ବଜାର, ହୋଟେଲ ପଛପଟେ ଦଳ ଦଳ ବୁଲାକୁକୁର ବୁଲୁଛନ୍ତି। ଅନେକ ସମୟରେ ରାଜ ରାସ୍ତାରେ ଏମାନଙ୍କ ଉପସ୍ଥିତି ଯୋଗୁଁ ବାଇକ ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ଦିନକୁ ଦିନ ଏହି ବୁଲା କୁକୁରମାନେ ହିଂସ୍ରହୋଇ ମଣିଷକୁ ଗୋଡାଇ କାମୁଡୁଛନ୍ତି। କିଛିମାସ ପୂର୍ବେ ଲାଞ୍ଜିଗଡ଼ରୋଡ଼ ଓ କିଡିଙ୍ଗ ଗ୍ରାମରେ ଗୋଟିଏ କୁକୁର ପାଖାପାଖି ୯ ଜଣଙ୍କୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲା। ଏଥିରେ ଅଧିକାଂଶ ନାବାଳକ, ନାବାଳିକା ଥିଲେ। କୁକୁର କାମୁଡ଼ାରେ ଲୋକେ ଆହତହୋଇ ଡାକ୍ତରଖାନାକୁ ଯାଇ ଇଞ୍ଜେକସନ ନେଇଥିଲେ। ସେ ସମୟରେ ଲୋକେ ପଦାକୁ ବାହାରିବାକୁ ଭୟ କରୁଥିଲେ। କୁକୁର କବଳରୁ ରକ୍ଷା ପାଇଁ ବଡ଼ ବଡ଼ ଠେଙ୍ଗା ନେଇ ଲୋକେ ଘରୁ ବାହାରୁଥିଲେ। ଚାରିଆଡେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏଥିରୁ ନିସ୍ତାର ପାଇବା ପାଇଁ ସହରଞ୍ଚଳରେ ଯେପରି ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ, ବନ୍ଧ୍ୟାକରଣ ଭଳି ଆଇନ ଲାଗୁ କରାଯାଉଛି, ଗ୍ରାମାଞ୍ଚଳରେ ମଧ୍ୟ ସେଭଳି ଆଇନ ଲାଗୁ କରାଯାଉ ବୋଲି ଦାବି ଉଠୁଛି। ଏହାର କାରଣ ହେଲା ଦିନକୁଦିନ ଗ୍ରାମାଞ୍ଚଳରେ ବୁଲା କୁକୁରଙ୍କ ସଂଖା ହୁ ହୁ ହୋଇ ବଢିଚାଲିଛି। କୁକୁଡ଼ା ଟିଏ ମଧ୍ଯ ଲୋକେ ପାଳିପାରୁ ନାହାନ୍ତି। କୁକୁଡ଼ା ଦେଖିଲା ମାତ୍ରେ କୁକୁର ତା’କୁ ଝାମ୍ପି ନେଉଛି। ଏବେ ଏହି ବୁଲା କୁକୁର ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଭିନ୍ନ ଛକରେ ବୁଲୁଥିବା ବେଳେ ଏହାକୁ ନେଇ ସଚେତନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଉଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.