ଓଡ଼ିଆ ବାର୍ତ୍ତା / ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାରେ ୬୩ ତମ ମହାଶିବରାତ୍ର ମେଳା ଅବସରରେ ଚାଲିଛି ମହାରାଜ କଂସଙ୍କ ରାଜୁତି | ଦେବକୀଙ୍କ ଅଷ୍ଟମ ସନ୍ତାନ ଥିଲା ଏକ କନ୍ୟା ସନ୍ତାନ | କଂସ ତା’କୁ ଦର୍ପଣଶିଳାରେ କଚାଡି ହତ୍ୟା କରିବାକୁ ଗଲାବେଳେ ସେ କଂସ ହାତରୁ ଖସିଯାଇ ଶୁନ୍ୟରୁ “ତୋତେ ମାରିବ ଯିଏ, ଗୋପରେ ବଢୁଛି ସିଏ” ବୋଲି ଶୁନ୍ୟବାଣୀ କରିବା ପରେ କଂସ ମହାରାଜ ହୋଇଛନ୍ତି ଭୀତତ୍ରସ୍ତ | ରବିବାର ତୃତୀୟ ରଜନୀରେ ଅନୁଷ୍ଠିତ କଂସ ଦରବାରରେ ସାଂସଦ ପ୍ରତିନିଧି ଅକ୍ଷୟ ରଣା, କମିଟି ସଭାପତି ଦିଲ୍ଲୀପ ରାଜପଲିଆ, ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଥାନାଧିକାରୀ ଖଗପତି ବିଶ୍ୱାଳ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ବିଜେପି ନେତା ଡୋଳାମଣି ବସ୍ତିଆ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଜରଙ୍ଗଲାଲ ଜୈନ, ବ୍ଲକ କାର୍ଯ୍ୟାଳୟର କ୍ୟାସିଅର ତରୁଣାକର ଧରୁଆ ରାଜକୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ | ଏହି ଅବସରରେ ରାଜକୀୟ ଅତିଥିଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ବରିଷ୍ଠ ଅଭିନେତା ଅନ୍ତର୍ଯ୍ୟାମୀ ରାଜପଲିଆ ସଭା ସଂଯୋଜନା କରିଥିଲେ | ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ଆମେ ପ୍ରତିଶୃତିବଦ୍ଧ ବୋଲି ବିଡ଼ିଓ ଶ୍ରୀ ମିର୍ଦ୍ଧା, ବିଜେପି ନେତା ଶ୍ରୀ ବସ୍ତିଆ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମାଝୀ ପ୍ରକାଶ କରିଥିଲେ | ପ୍ରଖ୍ୟାତ ଅଭିନେତା ରବୀନ୍ଦ୍ର କୁମାର ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | କଂସ ଦରବାରରେ ବୌଦ ଜିଲ୍ଲା କଣ୍ଟାମାଲ ବ୍ଲକ ବରପଦରର ‘ବାଉଲି କଳା ପରିଷଦ’ର କଳାକାରଗଣ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ |





