ଅତଡା ଗ୍ରାମରେ ପାନୀୟ ଜଳ ଅଭାବ: ପାଣି ପାଇଁ ମହିଳାଙ୍କ ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଦର ବ୍ଳକ କେରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଅତଡା ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖା ଦେବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ମହିଳାମାନେ ବହୁ ଦୂରରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନ ଥିବାରୁ ଶେଷରେ ମହିଳାମାନେ ରାସ୍ତାକୁ ଓହ୍ଳାଇ ପ୍ରତିବାଦ କରିଛନ୍ତି । ଗ୍ରାମର ଅନେକ ମହିଳା ଏକତ୍ରିତ ହୋଇ ହାତରେ ହାଣ୍ଡିଗରା, ବାଲଟି ଧରି କେରଡା-ରାୟଗଡ଼ା ମୁଖ୍ୟ ରାସ୍ତାକୁ ଦୀର୍ଘ ଘଂଟା କାଳ ଅବରୋଧ କରିଥିଲେ । ରାସ୍ତା ଉପରେ ଠିଆ ହୋଇ ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଥିଲେ । ଏହାରି ପରିଣାମ ରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅତଡା ଗ୍ରାମରେ ପ୍ରାୟ ୧୬୦ ପରିବାର ବସବାସ କରୁଥିବା ବେଳେ ଏଠାରେ ଜନସଂଖ୍ୟା ପ୍ରାୟ ୮ଶହରୁ ଉର୍ଦ୍ଧ ରହିଛନ୍ତି । ଗାଁରେ ବସୁଧା ଭଳି ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ୪ଗୋଟି ନଳକୂପ ରହିଛି ସେଥିରୁ ଦୁଇଟି ନଳକୂପ ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ଦୁଇଟି ପାନୀୟ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଏଥିରୁ ବାହାରୁ ଥିବା ଜଳ ଦୁର୍ଗନ୍ଧ ଓ ଲୁହା ଗୁଣ୍ଡ ହୋଇଥିବାରୁ ଏହାକୁ ଗ୍ରାମବାସୀ ପାନୀୟ ଭାବେ ବ୍ୟବହାର କରି ପାରୁନ ଥିବା ଅଭିଯୋଗ କରିଛନ୍ତି । ତେବେ ଗତ ରବିବାର ଦିନ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବ୍ଳକ କାର୍ଯ୍ୟାଳୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଳକଷ୍ଟ ଗ୍ରାମ ଗୁଡିକର ଚିହ୍ନଟ କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା, ଅଚଳ ନଳକୂପର ମରାମତି,ପାନୀୟ ଜଳ ଉତ୍ସଗୁଡିକର ମରାମତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ବେଳେ ମାସ ମାସ ଧରି ଜଳକଷ୍ଟ ଭୋଗୁଥିବା ଗ୍ରାମର ଚିହ୍ନଟ କରିବାରେ କିଭଳି ବ୍ଳକ ପ୍ରଶାସନୀକ ଅଧିକାରୀ ଓ କର୍ମଚାରୀମାନେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ତାଲିକା କରିନାହାନ୍ତି ସେ ନେଇ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପ ଲୋକଙ୍କ ସେବା ପାଇଁ ନା କେବଳ ପ୍ରହସନ ପାଲଟିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋରଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.