ରାୟଗଡ଼ ଜିଲ୍ଲାର ୫୨୫ଟି ଗାଁରେ ଅନୁଷ୍ଠିତ ହେବ ଜନ ଭାଗିଦାରୀ ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଥିବା ବିସ୍ତୃତ ଆଇଇସି (IEC) ଅଭିଯାନ “ଜନ ଭାଗିଦାରୀ ସବ୍‌ସେ ଦୂର, ସବ୍‌ସେ ପହେଲେ” ଚଳିତ ମେ ୧୮ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାରେ ପାଳନ କରାଯିବ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ ବ୍ରିଫିଂରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ଆଇଟିଡିଏ (ITDA)ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଜିଲ୍ଲାର ଜନଜାତି ଏବଂ ପିଭିଟିଜି (PVTG) ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ହିତାଧିକାରୀ ସାନ୍ତୁପ୍ତି ଶିବିର ଆୟୋଜନ କରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ରାୟଗଡ଼ା ଜିଲ୍ଲାର ମୋଟ ୫୨୫ଟି ରାଜସ୍ୱ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି,ଯେଉଁଥିରେ DA JGUA (Dharti Aaba Janjatiya Gram Utkarsh Abhiyan) ଅଧୀନରେ ୪୨୦ଟି ଏବଂ PM JANMAN ଅଧୀନରେ ୧୦୫ଟି ଗ୍ରାମ ରହିଛି। ବିଶେଷକରି ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଜନଜାତି ଅଞ୍ଚଳରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବାକୁ ଏହି ଅଭିଯାନରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଅଭିଯାନ ଅଧୀନରେ ଚିହ୍ନଟ ହୋଇଥିବା ସମସ୍ତ ଗ୍ରାମ ଗୁଡ଼ିକରେ ଗ୍ରାମ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଓ ଜନଜାତି ଭାଷାରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଏଥିସହିତ ପ୍ରତିଦିନ କାର୍ଯ୍ୟକ୍ରମର ଫଟୋ, ଭିଡିଓ, ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏବଂ ଶିବିର ସମ୍ବନ୍ଧୀୟ ପ୍ରଗତି ରିପୋର୍ଟ ସରକାରଙ୍କ ‘ Adi Prasaran Portal’(https://adiprasaran.tribal.gov. in/ijgu/man.aspx) ରେ ଅପଲୋଡ଼ କରାଯିବ। ସମଗ୍ର କାର୍ଯ୍ୟର ସଫଳ ଡକ୍ୟୁମେଣ୍ଟେସନ ଏବଂ ଡିଜିଟାଲ ମନିଟରିଂ ପାଇଁ ଆଇଟିଡିଏ, ଗୁଣୁପୁରର ପ୍ରକଳ୍ପ ପ୍ରଶାସକଙ୍କୁ ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ବିଡିଓମାନଙ୍କୁ ପ୍ରତିଦିନ ଜିଓ-ଟ୍ୟାଗ୍ ତଥ୍ୟ ସହ ଦୈନିକ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ସପ୍ତାହବ୍ୟାପୀ ଅଭିଯାନ ଜିଲ୍ଲାର ଜନଜାତି ସମୁଦାୟଙ୍କ ମଧ୍ୟରେ ସରକାରୀ ଯୋଜନା ପ୍ରତି ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ପ୍ରେସ ବ୍ରିଫିଂରେ ଆଶା ବ୍ୟକ୍ତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.