ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋଲନରା ବ୍ଲକ ଅନ୍ତର୍ଗତ ମାଟିକଣା ପଞ୍ଚାୟତର ତୋଟାଗୁଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ମୃତ ଦେହକୁ ରୁପୁଣି ଓ ତୋଟାଗୁଡା ମଝିରେ ଥିବା ପାହାଡ ତଳେ ପୋତି ଦିଆଯାଇଛି। ଏକ୍ଜୁଟିଭ୍ ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିପିକ ଟିମ୍, ଡାକ୍ତରୀ ଟିମ୍ ଙ୍କ ଉପସ୍ଥିତିରେ ପୋତା ଯାଇଥିବା ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି। ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମର କାଳିଆ ମାଣ୍ଡାଙ୍ଗି ବୟସ ୫୩ ଏବଂ ଅଭିଯୁକ୍ତ ଦ୍ୱୟ ସିନାରାଓ କଲାକା ବୟସ ୨୫ ଓ ମିଥୁନ କଲାକା ବୟସ ୨୦ ଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ତେବେ ଗତ ୯ ତାରିଖ ଦିନ କାଳିଆ କୌଣସି କାମରେ ରୁପୁଣି ଯାଇ ଫେରୁଥିବା ସମୟରେ ରୁପୁଣି ଓ ତୋଟାଗୁଡା ମଝିରେ ସେମାନଙ୍କ ସାମ୍ନା ସାମନି ଭେଟ ହୋଇଥିଲା। ସେଠାରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବାସଚା ହୋଇଥିଲା। ସେତିକିରେ ଉତକ୍ଷିପ୍ତ ହୋଇ ସିନାରାଓ ଓ ମିଥୁନ ମିଶି କାଳିଆକୁ ହତ୍ୟା କରିଥିଲେ। ଘଟଣାକୁ ଚପାଇ ଦେବାକୁ କାଳିଆର ମୃତ ଦେହକୁ ନେଇ ପାହାଡ଼ରେ ପୋତି ଦେଇଥିଲେ। ତେବେ ନିଜ ବାପାର ନିଖୋଜ ସମ୍ପର୍କରେ ମୃତ ବ୍ୟକ୍ତିର ପୁଅ ବିଜାରାଓ ମାଣ୍ଡାଙ୍ଗି ମୁକୁନ୍ଦପୁର ଫାଣ୍ଡିରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ଘଟଣା ସମ୍ପର୍କରେ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କୁ ଅବଗତ କରିଥିଲେ। ସୂଚନା ପାଇ ପୁଲିସ, ସାଇଣ୍ଟିପିକ୍ ଟିମ୍, ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ତଦନ୍ତ ଓ ପ୍ରମାଣ ଆଧାରରେ ଦୁଇ ଜଣ ଅଭିଯୁକ୍ତ ସିନାରାଓ ଓ ମିଥୁନକୁ ଗିରଫ କରାଯାଇଛି। ଏକଜୁଟିଭ ମାଜିଷ୍ଟ୍ରେଟ ଭବାନୀ ଶଙ୍କର ପ୍ରସାଦ ମିଶ୍ର, ଉପରାଜସ୍ବ ନୀରିକ୍ଷକ ସିଦ୍ଧେଶ ପଣ୍ଡା ଓ ପିଇଓ ଯୋଗେଶ ପେଦେଣ୍ଟିଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ ବ୍ୟକ୍ତିର ପରିବାରକୁ ହସ୍ତାନ୍ତର କରିଥିଲେ।





