ଗୋ ସୁରକ୍ଷା ଓ ଗୋ-ସମ୍ମାନ ପାଇଁ କାଶିପୁରରେ ମହାବିଷ୍ଣୁ ଯଜ୍ଞ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶିପୁର ଠାରେ କାଳୀକୃଷ୍ଣ ଶାଖା ସଂଘ ପକ୍ଷରୁ ଏକ କୁଣ୍ଡୀୟ ମହାବିଷ୍ଣୁ ଯଜ୍ଞ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ସହ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଧାର୍ମିକ ଆୟୋଜନକୁ ନେଇ ସମଗ୍ର କାଶିପୁର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ସକାଳୁ ଆରମ୍ଭ ହୋଇଥିବା ବୈଦିକ ମନ୍ତ୍ର ଉଚ୍ଚାରଣ, ନାମ ସଂକୀର୍ତ୍ତନ ଓ ହରିନାମ ଧ୍ବନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ପରିଣତ ହୋଇଥିଲା।ଏହି ଅବସରରେ କାଳୀକୃଷ୍ଣ ସଂଘର ପରିଚାଳକ  ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ରହି‌ ଗୋ ସଂପଦର ସୁରକ୍ଷା ଓ ଗୋ – ସମ୍ମାନ ପାଇଁ ଆୟୋଜିତ ହୋଇଥିବା ସଚେତନତା ପଦଯାତ୍ରାରେ ଭାଗ ନେଇଥିଲେ। ପରେ ପରେ ପ୍ରବଚନ ମାଧ୍ୟମରେ ଧର୍ମ, ସତସଙ୍ଗ, ଭକ୍ତି, ମାନବ ସେବା ଓ ଗୋ ସେବାର ମହତ୍ତ୍ବ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସେ କହିଥିଲେ ଯେ, ଆଜିର ବ୍ୟସ୍ତ ଓ ଅଶାନ୍ତି ସମାଜରେ ଯଜ୍ଞ, ସତସଙ୍ଗ ଓ ଧାର୍ମିକ ଚେତନା ମାନବକୁ ଶାନ୍ତି, ସଂଯମ ଓ ଆତ୍ମିକ ଶକ୍ତି ପ୍ରଦାନ କରେ। ସମାଜରେ ଭ୍ରାତୃତ୍ଵ, ନୈତିକତା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ବଢ଼ାଇବାରେ ଏପରି ଧାର୍ମିକ କାର୍ଯ୍ୟକ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି ଅବସରରେ କଳସଯାତ୍ରା, ପୂଜନ, ହବନ, ବିଭିନ୍ନ ବୈଦିକ ନୀତିନିୟମ ଅନୁଯାୟୀ ଯଜ୍ଞ କାର୍ଯ୍ୟ ସଂପନ୍ନ ହୋଇଥିଲା। କାଳୀକୃଷ୍ଣ ସଂଘର ପୁସ୍ତକାଚାର୍ଯ୍ୟ ଶ୍ରୀ ଅଭୟାନନ୍ଦ, ଆଚାର୍ଯ୍ୟ ତୋଷାନନ୍ଦ, ଓ ଯାମିନୀ କାନ୍ତି ପାଢ଼ୀ ସୁଚାରୁ ଭାବରେ ସମଗ୍ର ଯଜ୍ଞ କାର୍ଯ୍ୟକୁ ପରିଚାଳନା କରିଥିଲେ। ବେଦ ଧ୍ୱନି ଓ ହୋମ ଧୂପର ସୁଗନ୍ଧରେ ପରିବେଶ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଶାନ୍ତିମୟ ହୋଇଉଠିଥିଲା।କାଳୀକୃଷ୍ଣ ସଂଘ କାଶିପୁର ଶାଖା ତରଫରୁ ଗଣେଶ ବୈଠାରୁ, ପୀତବାସ ନାଏକ ସମେତ ଅନେକ କର୍ମକର୍ତ୍ତା ଯଜ୍ଞ କାର୍ଯ୍ୟକୁ ସଫଳ କରିବାରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅଞ୍ଚଳବାସୀଙ୍କ ସମୁହିକ ସହଯୋଗ, ଶୃଙ୍ଖଳା ଓ ଆତିଥ୍ୟ ସମଗ୍ର କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସୁସଂଗଠିତ କରିଥିଲା। ଏହି ପବିତ୍ର ଯଜ୍ଞ ଅବସରରେ କାଳୀକୃଷ୍ଣ ସଂଘର ମୂଖ୍ୟସଂଘ, ବିଭିନ୍ନ ଶାଖାସଂଘ, ପ୍ରଜ୍ଞାବାହିନୀ, କାଳୀକୃଷ୍ଣ ବାହିନୀ, ମିଡିଆସେଲ ସହ ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥ‌ିବା ବେଳେ ଅଞ୍ଚଳର ବହୁ ସଂଖ୍ୟକ ସତସଙ୍ଗ ପ୍ରେମୀ ଜନସାଧାରଣ ମଧ୍ୟ ଯୋଗଦେଇ ଆଧ୍ୟାତ୍ମିକ ପରିବେଶକୁ ଅଧିକ ଉତ୍ସାହମୟ କରିଥିଲେ। ଭକ୍ତି, ଶ୍ରଦ୍ଧା, ସେବା ଓ ସାମୁହିକ ସ‌ହଯୋଗର ସୁନ୍ଦର ସମନ୍ବୟରେ ଅନୁଷ୍ଠିତ ଏହି ଏକ କୁଣ୍ଡୀୟ ମହାବିଷ୍ଣୁ ଯଜ୍ଞ ଅଞ୍ଚଳରେ ଏକ ସ୍ମରଣୀୟ ଧାର୍ମିକ ଆୟୋଜନ ଭାବେ ପରିଗଣିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.